fbpx

ଓଡ଼ିଶାର ବଜ୍ରପାତ ମୃତ୍ୟୁ ସର୍ବାଧିକ: ବଢିପାରେ ଅନୁକମ୍ପା ସହାୟତା ରାଶି, ବିଚାର କରୁଛନ୍ତି ସରକାର

ଭୁବନେଶ୍ୱର :ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ବଜ୍ରପାତରେ ମୋଟ ୧୬୨୫ ଜଣଙ୍କର ଜୀବନ ଯାଇଛି । ଯାହା ଦେଶରେ ସର୍ବାଧିକ ଅଟେ । ଆଜି ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ତାରକା ପ୍ରଶ୍ନର ଉତ୍ତରରେ ଏନେଇ ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ମନ୍ତ୍ରୀ ଏନେଇ ବିସ୍ତୃତ ତଥ୍ୟ ରଖି କହିଛନ୍ତି ଯେ ରାଜ୍ୟରେ ତୁଳନାତ୍ମକ ଭାବେ ମୟୂରଭଞ୍ଜ ସୁନ୍ଦରଗଡ଼, ବାଲେଶ୍ଵର ଓ କେନ୍ଦୁଝର ଜିଲ୍ଲାରେ ଅଧିକ ବଜ୍ରପାତ ଘଟୁଛି । ମୟୂରଭଞ୍ଜରେ ଜିଲ୍ଲାରେ ବାର୍ଷିକ ହାରାହାରି ୭୨ ହଜାର ଥର ବଜ୍ରାଘାତ ହେଉଛି। ଯେଉଁ ରାଜ୍ୟରେ ଖଣିଜ ପଦାର୍ଥ ବେଶି ଅଛି, ସେହି ରାଜ୍ୟରେ ବଜ୍ରପାତ ସଂଖ୍ୟା ଅଧିକ ବୋଲି ମନ୍ତ୍ରୀ କହିଛନ୍ତି। ବଜ୍ରପାତର ଆଗୁଆ ନିର୍ଦ୍ଧିଷ୍ଟ ପୂର୍ବାନୁମାନ ଏବଂ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ବ୍ୟବସ୍ଥା ନାହିଁ ।

ତେବେ ଲୋକଙ୍କୁ ସଚେତନତା ପାଇଁ ରାଜସ୍ବ ବିଭାଗ ବ୍ୟାପକ ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ବିଧାୟକ ଟଙ୍କଧର ତ୍ରିପାଠୀ, ଅଶ୍ୱିନୀ ପାତ୍ର ଏବଂ ତାରା ପ୍ରସାଦ ବାହିନୀପତି ପ୍ରମୁଖ ବଜ୍ରପାତ ମୃତ୍ୟୁରେ ମିଳୁଥିବା ଅନୁକମ୍ପା ସହାୟତା ରାଶି ୪ ଲକ୍ଷରୁ ଅଧିକ କରିବାକୁ ଦାବି କରିଥିଲେ । ବିଧାୟକମାନଙ୍କ ଉପରୋକ୍ତ ପ୍ରସ୍ତାବକୁ ବିଭାଗ ଗମ୍ଭୀରତା ସହ ତର୍ଜମା କରିବ ବୋଲି ମନ୍ତ୍ରୀ ଗୃହରେ ଆଶ୍ଵାସନା ଦେଇଛନ୍ତି ।

Get real time updates directly on you device, subscribe now.