fbpx

(Video) ତିରୁପତି ଲଡୁ ବିବାଦ; ତପସ୍ୟା କରିବେ ଉପ-ମୁଖ୍ୟମନ୍ତ୍ରୀ: ୧୧ ଦିନ ପର୍ଯ୍ୟନ୍ତ ଅନ୍ନ-ଜଳ ତ୍ୟାଗ କରି କରିବେ ପ୍ରାୟଶ୍ଚିତ

ଓଡ଼ିଶା ଭାସ୍କର: ଆଜିଠାରୁ ଆସନ୍ତା ୧୧ ଦିନ ପର୍ଯ୍ୟନ୍ତ ଧ୍ୟାନରେ ବସିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ । ସାଉଥ ସିନେମାର ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ନିଜର ଅୟସ ଆରାମ ଜୀବନକୁ ତ୍ୟାଗ କରି ଜଣେ ତପସ୍ୱୀ ଭାବରେ ଜୀବନ ଯାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜଣେ ସନ୍ନ୍ୟାସୀଙ୍କ ପରି ଧ୍ୟାନରେ ବସି ରହିଛନ୍ତି ପୱନ କଲ୍ୟାଣ । ତିରୁପତି ମନ୍ଦିରର ଲଡ୍ଡୁ ଭୋଗରେ ବାହାରିଥିବା ଚର୍ବି ମାମଲାର ପ୍ରାୟଶ୍ଚିତ ପାଇଁ ପୁରା ରାତି ଦିନ ଏମିତି ଭଗବାନଙ୍କ ପାଖରେ ଧ୍ୟାନରେ ବସିବେ ବୋଲି କହିଛନ୍ତି ପଓବନ କଲ୍ୟାଣ ।

ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରର ପ୍ରସାଦକୁ ନେଇ ବିବାଦ ବଢିବାରେ ଲାଗିଛି । ଏହି ପ୍ରସଙ୍ଗକୁ ନେଇ ସାରା ଦେଶରେ ଖୁବ୍ ଆଲୋଚନା ଲାଗି ରହିଛି । ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶୁଥିବା ନେଇ ଅଭିଯୋଗ ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି । ଏହାଭିତରେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି । ଏଭଳି ଏକ ଘଟଣାର ପ୍ରାୟଶ୍ଚିତ ସ୍ୱରୂପ ଆସନ୍ତା ୧୧ ଦିନ ପର୍ଯ୍ୟନ୍ତ ଉପବାସ ପାଳନ କରିବା ନେଇ କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ । ଏ ନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ଆଜି ଠାରୁ ୧୧ ଦିନ ପର୍ଯ୍ୟନ୍ତ ଉପବାସ ରହିବେ ପବନ କଲ୍ୟାଣ । ନାମ୍ବୁରର ଶ୍ରୀ ଦଶାବତାର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ସେ ୧୧ ଦିନିଆ ‘ପ୍ରାୟଶ୍ଚିତ ଦିକ୍ଷା’ ଗ୍ରହଣ କରିବେ । ‘ତିରୁପତି ପ୍ରସାଦମ’ ପ୍ରତି ହୋଇଥିବା ଅପମାନକୁ ନେଇ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଜଗନ୍ ମୋହନ ରେଡ୍ଡୀଙ୍କ ସରକାର ସମୟରେ ଘଟିଥିବା ଏହି ଘଟଣା ତାଙ୍କୁ ଆଘାତ ପହଞ୍ଚାଇଛି ।

ପବନ କଲ୍ୟାଣ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ହେ ପ୍ରଭୁ ବାଲାଜୀ! ମୋତେ କ୍ଷମା କର । ‘ବ୍ୟକ୍ତିଗତ ସ୍ତରରେ ଆମ ସଂସ୍କୃତି, ଆସ୍ଥା, ବିଶ୍ୱାସ ଏବଂ ସମ୍ମାନର କେନ୍ଦ୍ରସ୍ଥଳ ଶ୍ରୀ ତିରୁପତି ବାଲାଜୀ ଧାମର ପ୍ରସାଦକୁ ଭ୍ରଷ୍ଟ କରିବା ପାଇଁ କରାଯାଇଥିବା ମନ୍ଦ ଉଦ୍ୟମ ଦ୍ୱାରା ମୁଁ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରୁଛି । ସତ କହିବାକୁ ଗଲେ, ମୁଁ ଭିତରୁ ଅତ୍ୟଧିକ କ୍ଷତ ଅନୁଭବ କରୁଛି । ବର୍ତ୍ତମାନ, ଏହି ମୁହୂର୍ତ୍ତରେ, ମୁଁ ଭଗବାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି ଏବଂ ପ୍ରାୟଶ୍ଚିତର ଶପଥ ନେଉଛି । ୧୧ ଦିନ ଉପବାସ କରିବାକୁ ଏକ ଧାର୍ମିକ ସଂକଳ୍ପ ନେଉଛି । ୧୧ ଦିନ ପରେ ମୁଁ ତିରୁପତି ଯାଇ ପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କରିବା ପରେ ହିଁ ଭଗବାନଙ୍କ ନିକଟରେ ମୋର ପ୍ରାୟଶ୍ଚିତ କାର୍ଯ୍ୟ ସମାପ୍ତ ହେବ ।’

Get real time updates directly on you device, subscribe now.