fbpx

ରାବଣକୁ ଯିଏ ପୋଡ଼ିବ ତା’ର ମୃତ୍ୟୁ ଘଟିବ! ପୁରାଣ ଯୁଗରୁ ରହି ଆସିଛି ବଡ଼ ରହସ୍ୟ, ଭାରତର ଏହି ସ୍ଥାନରେ ହୁଏ ନାହିଁ ରାବଣ ପୋଡ଼ି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏବେ ସାରା ଭାରତବର୍ଷରେ ପାର୍ବଣ ଋତୁ ବଡ଼ ଧୁମଧାମରେ ପାଳିତ ହେଉଛି । ମା’ଙ୍କ ଆଗମନ ପରେ ସତେ ଯେମିତି ଧରିତ୍ରୀ କୋଟି ପୂଣ୍ୟରୁ ମୁକ୍ତି ପାଇଯାଇଛି । ତେବେ ଆଜି ଦେଶର କିଛି ସ୍ଥାନରେ ରାବଣ ପୋଡ଼ି ପାଳନ କରାଯାଉଥିବା ବେଳେ ଅନ୍ୟ କିଛି ସ୍ଥାନରେ ଆସନ୍ତାକାଲି ଏହି ଉତ୍ସବ ପାଳନ କରାଯିବ । ଆଜି ଜମ୍ମୁ କଶ୍ମୀର, ଦିଲ୍ଲୀ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ବିହାର ଆଜି ବିଭିନ୍ନ ରାଜ୍ୟରେ ରାବଣ ପୋଡ଼ି ଉତ୍ସବ ପାଳନ ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହୋଇଥିଲେ ।

ତେବେ ସାରା ଦେଶରେ ରାବଣ ପୋଡ଼ି ଉତ୍ସବ ମହାଧୁମଧାମରେ ପାଳନ ହେଉଥିଲେ ହେଁ କିଛି ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ଏବେ ବି ଲୋକଙ୍କ ମଧ୍ୟରେ ପୁରାଣ ପ୍ରତି ବିଶ୍ୱାସ ରହିବା ସହ ଭଗବାନଙ୍କ ଉପରେ ବିଶ୍ୱାସ ମଧ୍ୟ ରହିଛି । ସେପରି ଏକ ସ୍ଥାନ ହେଉଛି ହିମାଚଳ ପ୍ରଦେଶର ବୈଜନାଥ ସହର । ବୈଜନାଥ ସହରରେ ରାବଣ ପୋଡ଼ି ହୋଇନଥାଏ । କୁହାଯାଏ, ବୈଜନାଥ ସହର ରାବଣର ତପୋସ୍ଥଳୀ । ତେଣୁ ସେଠାରେ ରାବଣ ପୋଡ଼ି ହୁଏ ନାହିଁ । ଯଦି କେହି ସେଠାରେ ରାବଣ ପୋଡ଼ି କରିବାକୁ ପ୍ରୟାସ କରେ, ତେବେ ତା’ର ମୃତ୍ୟୁ ହୋଇଯିବ ବୋଲି ଧାରଣ । ରହିଛି । ସେଥିପାଇଁ ଏହି ସହରରେ ଦଶହରା ପାଳନ କରାଯାଇ ନଥାଏ ।

ଏହି କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ତାହା ନିରାଟ ସତ । ରାବଣ ଭଗବାନ ଶିବଙ୍କର ଜଣେ ପରମ ଭକ୍ତ ଥିଲେ । ସେଥିପାଇଁ ଦେଶର କିଛି ସ୍ଥାନରେ ରାବଣ ପୋଡ଼ି ପାଳନ କରାଯାଏ ନାହିଁ । ବିଶ୍ୱାସ କରାଯାଏ ଯେ ଦଶହରା ଦିନ ଯେଉଁମାନେ ରାବଣକୁ ଜାଳି ଦିଅନ୍ତି ସେମାନଙ୍କ ସହିତ ଖରାପ ଘଟଣା ଘଟେ । ବୈଜନାଥ ହିମାଚଳ ପ୍ରଦେଶର କଙ୍ଗରା ଜିଲ୍ଲାରେ ଅବସ୍ଥିତ । ଏହି ସ୍ଥାନରେ ଭଗବାନ ଶିବଙ୍କର ଏକ ପ୍ରାଚୀନ ମନ୍ଦିର ରହିଛି । ଯେଉଁ ଶିବଲିଙ୍ଗ ରାବଣ ଲଙ୍କା ନେଇ ଯାଉଥିଲେ, ତାହା ଏଠାରେ ପ୍ରତିଷ୍ଠିତ ହୋଇଛି ବୋଲି ବିଶ୍ୱାସ କରାଯାଏ । ତ୍ରେତୟା ଯୁଗରେ, ଶିବଙ୍କଠାରୁ ଅମରତ୍ୱ ଲାଭ ପାଇଁ ରାବଣ କଠୋର ତପସ୍ୟା କରିଥିଲେ । ଏହାପରେ ଭଗବାନ ଶିବ ପ୍ରସନ୍ନ ହୋଇ ତାଙ୍କ ଅଂଶ ସଦୃଶ ଶିବଲିଙ୍ଗଙ୍କୁ ରାବଣକୁ ଦେଲେ, ଯାହାକୁ ଶିବଙ୍କର ଆତ୍ମଲିଙ୍ଗ କୁହାଯାଏ ।

ଏହି ଶିବଲିଙ୍ଗ ପ୍ରଦାନ କରିବା ସମୟରେ ପ୍ରଭୁ ଶିବ ଶଙ୍କର ରାବଣକୁ ଏହି ଆତ୍ମଲିଙ୍ଗକୁ ସିଧାସଳଖ ଲଙ୍କାରେ ପ୍ରତିଷ୍ଠା କରିବାକୁ କହିଥିଲେ । ଯଦି ରାସ୍ତାରେ ଯିବା ସମୟରେ ଏହାକୁ କେଉଁ ସ୍ଥାନରେ ରଖାଯାଏ ତେବେ ସେ ସେହି ଠାରେ ହିଁ ସ୍ଥାପିତ ହେବେ । ରାବଣ ବାଟରେ ଯିବା ସମୟରେ ଏହି ଆତ୍ମଲିଙ୍ଗଙ୍କୁ ଜଣେ ବାଳକକୁ ଧରିବାକୁ ଦେଇଥିଲେ । ପରେ ସେ ବ୍ରାହ୍ମଣ ବାଳକ ଏହାକୁ ତଳେ ରଖି ଦେଇଥିଲା । କିନ୍ତୁ ବ୍ରାହ୍ମଣ ବାଳକ ରୂପରେ ଥିବା ବାଳକ ଥିଲେ ମହାଦେବଙ୍କ ପୁତ୍ର ଶ୍ରୀ ଗଣେଶ ।

କାରଣ ଭଗବାନ ଶିବ କହିଥିଲେ ଯେ, ଯଦି ରାବଣ ଅମର ହେବାକୁ ଚାହାଁନ୍ତି, ତେବେ ଏହାକୁ ଲଙ୍କାକୁ ନେଇ ପ୍ରତିଷ୍ଠା କରିବାକୁ ହେବ । କିନ୍ତୁ ଦେବତାମାନେ ରାବଣ ଅମର ନ ହୁଅନ୍ତୁ ବୋଲି ଚାହୁଁଥିଲେ । ତେଣୁ ଭଗବାନ ବିଷ୍ଣୁ ତାଙ୍କ ମାୟା ରଚି ଗଣେଶଙ୍କୁ କହି ଶିବଲିଙ୍ଗଙ୍କୁ ରାସ୍ତାରେ ରଖିଥିଲେ । ଏହା ପରେ ସେହିଠାରେ ହିଁ ରାବଣ ଶିବଙ୍କୁ ତପସ୍ୟା କରି ଯଜ୍ଞ କରିଥିଲେ ଓ ପରେ ମୋକ୍ଷ ପ୍ରାପ୍ତିର ବରଦାନ ପାଇଥିଲେ । ବିଶ୍ୱାସ କରାଯାଏ ଯେ, ରାବଣ ଏହି ସ୍ଥାନରେ ଯଜ୍ଞ କୁଣ୍ଡରେ ନିଜର ଦଶଟି ମୁଣ୍ଡ ଜାଳିଥିଲେ । ରାବଣ ଭଗବାନ ଶିବଙ୍କର ଜଣେ ମହାନ ଭକ୍ତ ଥିଲେ, ଯେଉଁଥିପାଇଁ ଦଶହରା ଏଠାରେ ପାଳନ କରାଯାଇ ନଥାଏ । କୁହାଯାଏ, ଥରେ କିଛି ଲୋକ ଶିବ ମନ୍ଦିର ସମ୍ମୁଖରେ ଦଶହରା ପାଳନ କରିବା ଆରମ୍ଭ କରିଥିଲେ ଏବଂ ରାବଣର ପୋଡି ପାଳନ କରିଥିଲେ । ଏହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା, କିନ୍ତୁ ଯେଉଁମାନେ ରାବଣଙ୍କର ପ୍ରତିମାକୁ ଜାଳି ଦେଇଥିଲେ ସେମାନଙ୍କ ସହିତ ବଡ଼ ଅଘଟଣ ଘଟିଥିଲା । ପରବର୍ତ୍ତୀ ଦଶହରା ପର୍ଯ୍ୟନ୍ତ କିଛି ଲୋକଙ୍କର ମୃତ୍ୟୁ ହୋଇଥିଲା । ସେବେଠାରୁ ଲୋକମାନେ ସେହି ସ୍ଥାନରେ ରାବଣ ପୋଡ଼ି ଓ ଦଶହରା ପାଳନ କରିବା ବନ୍ଦ କରିଦେଇଥିଲେ । ତାହା ଆଜି ପର୍ଯ୍ୟନ୍ତ ପ୍ରଚଳିତ ହୋଇ ରହି ଆସିଛି ।

Get real time updates directly on you device, subscribe now.