ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କଡ଼ା ଚତାବନୀ; ‘ବଡ ଭୁଲ କରିଦେଲା ହିଜବୁଲ୍ଲା, ଶତ୍ରୁ ନିପାତକୁ କେହି ରୋକିପାରିବେନି’

ନୂଆଦିଲ୍ଲୀ:  ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଉପରକୁ ଟାର୍ଗେଟ କରିଥିଲା ହିଜବୁଲ୍ଲା । ତାଙ୍କ ଘର ସିସେରିଆରେ ରହିଥିବା ବେଳେ ଡ୍ରୋନ ଆଟାକ କରାଯାଇଥିଲା । ହେଲେ ସୌଭାଗ୍ୟର ବିଷୟ ଯେ, ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ତାଙ୍କ ପରିବାର ସେଠାରେ ଉପସ୍ଥିତ ନଥିଲେ । ଇସ୍ରାଏଲର ଗୁପ୍ତଚର ଏବଂ ଆଇଡିଏଫର ବିଶ୍ବାସ ଯେ, ଏହି ଆକ୍ରମଣ ପଛରେ ଲେବାନନ୍ ସ୍ଥିତ ହିଜବୁଲ୍ଲାର ହାତ ରହିଛି ।

ଏହି ଆକ୍ରମଣ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଇରାନ ଏବଂ ହିଜବୁଲ୍ଲାକୁ କଡା ଚେତାବନୀ ଦେଇଛନ୍ତି । “ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଇରାନର ଏଜେଣ୍ଟ(ହିଜବୁଲ୍ଲା) ମୋତେ ଏବଂ ମୋ ସ୍ତ୍ରୀକୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା । ସେ ଏକ ବଡ ଭୁଲ କରିଛନ୍ତି । ହତ୍ୟା ଷଡ଼ଯନ୍ତ୍ର ଶତ୍ରୁଙ୍କୁ ନିପାତ କରିବାରେ ରୋକିପାରିବନି ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ଇରାନ ଏବଂ ତାଙ୍କ ସହଯୋଗୀଙ୍କୁ କହି ରଖୁଛି ଯେ, ଯେଉଁମାନେ ଇସ୍ରାଏଲକୁ କ୍ଷତି ପହଞ୍ଚାଇବେ ସେମାନଙ୍କୁ ଏହା ମୂଲ୍ୟ ଭାରୀ ହୋଇପାରେ । ଆମେ ଆତଙ୍କବାଦୀଙ୍କୁ ହଟାଇବା ଏବଂ ଗାଜାରୁ ଆମର ବନ୍ଧକମାନଙ୍କୁ ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରଖିବୁ। ଆମେ ଏକାଠି ଯୁଦ୍ଧ କରିବା ଏବଂ ଠାକୁରଙ୍କ ସାହାଯ୍ୟରେ ଆମେ ଏକାଠି ଜିତିବା ।”

ଇସ୍ରାଏଲ୍ ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ହାଇଫାର ସିଜେରିୟା ଅଞ୍ଚଳରେ କରାଯାଇଥିଲା। ଇସ୍ରାଏଲ୍ ଆର୍ମି (ଆଇଡିଏଫ୍) କହିଛି ଯେ, ଲେବାନନରୁ ଆରମ୍ଭ ହୋଇଥିବା ଡ୍ରୋନ୍ ସିଧାସଳଖ ବିଲ୍ଡିଂକୁ ଧକ୍କା ଦେଇଥିଲା । ତେବେ କେହି ଆହତ ହୋଇଥିବା ସୂଚନା ନାହିଁ । ଡ୍ରୋନ୍‌ ଷ୍ଟ୍ରାଇକର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏକ ଭିଡିଓରେ ଦେଖା ଦେଇଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ଇସ୍ରାଏଲକୁ ଯୁଦ୍ଧରେ ଜିତିବାରେ କେହି ରୋକି ପାରିବ ନାହିଁ ।