କନ୍ୟା ପାକିସ୍ତାନରେ, ବର ଭାରତରେ, ହେଲା Digital Marriage

ଜୋନପୁର: ଉତ୍ତର ପ୍ରଦେଶର ଜୋନପୁରରେ ନିଆରା ମୁସଲମାନ ବିବାହ(ନିକାହ) । ପୁଅ ଜୋନପୁରର ହୋଇଥିବା ବେଳେ ଝିଅ ପାକିସ୍ତାନର । ଅନଲାଇନରେ ହେଲା ନିକାହ ସମ୍ପନ୍ନ । ଜୋନପୁରର ବିଜେପି ପାରିଷଦ ତହସିନ ଶାହିଦଙ୍କ ପୁଅଙ୍କ ବାହାଘର ଲାହୋରରେ ଠିକ ହୋଇଥିଲା । କିନ୍ତୁ ଠିକ ସମୟରେ ମିଳିଲାନି ଭିସା । ତେଣୁ ଡିଜିଟାଲ ପ୍ଲାଟଫର୍ମରେ ହୋଇଥିଲା ନିକାହ ।

ବିଜେପି ପାରିଷଦ ତହସିନ ଶାହିଦଙ୍କ ପୁଅ ମହମ୍ମଦ ଅବ୍ୱାସ ହୈଦର ପାକିସ୍ତାନୀ ଝିଅ ଅନ୍ଦଲିପ ଜହରଙ୍କୁ ବିବାହ କରିବାକୁ ସବୁ ଠିକ ହୋଇଥିଲା । କିନ୍ତୁ ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦ କାରଣରୁ ହୈଦରଙ୍କୁ ଭିସା ମିଳିଲାନାହିଁ । ଏହାରି ଭିତରେ କନ୍ୟାଙ୍କ ମାଆ ଅସୁସ୍ଥ ହୋଇପଡିଲେ । ତାଙ୍କୁ ଲାହୋରରେ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା । ଗୁରୁତର ଅବସ୍ଥାରେ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତେଣୁ ପରିସ୍ଥିତିର ଗମ୍ଭୀରତାକୁ ଦେଖି ଉଭୟ ପରିବାର ଏହି ନିକାହ ଅନଲାଇନ କରିବାକୁ ନିଷ୍ପତ୍ତି ନେଲେ ।

ଶୁକ୍ରବାର ରାତିରେ ହୈଦର ବରଯାତ୍ରୀଙ୍କ ସହ ଇମାମବାଡେ ଗଲେ । ସେପଟେ କନ୍ୟା ପକ୍ଷରୁ ଲାହୋରରେ ନିକାହର ସବୁ ଆୟୋଜନ ହେଲା । ସିଆ ସମ୍ପ୍ରଦାୟର ଧର୍ମ ଗୁରୁ ମହଫୁଜୁଲ ହସନ ଖାନ କହିଛନ୍ତି କି, ଇସଲାମରେ ନିକାହ ପାଇଁ ଝିଅର ରଜାମନ୍ଦି ଜରୁରୀ । ଅନଲାଇନ ନିକାହ ଦୁଇ ପକ୍ଷରୁ ମୌଲାନାଙ୍କ ଦ୍ୱାରା ସମ୍ଭବ । ତେବେ ବିବାହ ସମ୍ପନ୍ନ ହୋଇଥିବା ବେଳେ କନ୍ୟା କେମିତି ଜୋନପୁର ଆସିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି । ପୁଅ ଘର ଲୋକଙ୍କ ବିଶ୍ୱାସ, କନ୍ୟାକୁ ଆଣିବାରେ କୌଣସି ସମସ୍ୟା ହେବ ନାହିଁ ।