ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ଖୁସି ଖବର! ଏଣିକି ସପ୍ତାହକୁ 6 ଦିନ କାମ ନୁହେଁ ବରଂ…

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି 5ଦିନ ଯିବାକୁ ପଡିବ ବ୍ୟାଙ୍କ୍ । କର୍ମଚାରୀମାନେ ଏନେଇ ଦାବି କରି ଆସୁଥିବା ବେଳେ ବର୍ତ୍ତମାନ ସରକାର ରାଜି ହୋଇପାରନ୍ତି ବୋଲି ଏକ ସୁତ୍ରରୁ ଜଣାପଡିଛି । ଇଣ୍ଡିଆନ୍ ବ୍ୟାଙ୍କ କନଫେଡେରେସନ୍ ଏବଂ କର୍ମଚାରୀ ୟୁନିଅନ୍ ମଧ୍ୟରେ ଏନେଇ ଚୁକ୍ତି ମଧ୍ୟ ହୋଇଛି ।

ତେବେ କେବେ ସରକାର ଏନେଇ ଘୋଷଣା କରୁଛନ୍ତି, ତାହା ଉପରେ ସମସ୍ତଙ୍କର ନଜର ରହିଛି । ଯଦି ସବୁକିଛି ଠିକ ରୁହେ, ତାହାଲେ ବର୍ଷ ଶେଷରେ ସରକାର ଘୋଷଣା କରିପାରନ୍ତି ବୋଲି ଆଲୋଚନା କରାଯାଉଛି । ଇଣ୍ଡିଆନ୍ ବ୍ୟାଙ୍କ କନଫେଡେରେସନ୍ (ଆଇବିଏ) ଏବଂ ବ୍ୟାଙ୍କ କର୍ମଚାରୀଙ୍କ ସଂଗଠନ ମିଳିତ ଭାବେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହା ଅଧୀନରେ ବ୍ୟାଙ୍କ କର୍ମଚାରୀମାନେ ସପ୍ତାହରେ ପାଞ୍ଚ ଦିନ କାମ କରିବେ ଏବଂ ଶନିବାର ଏବଂ ରବିବାର ଦିନ ଛୁଟି ପାଇବେ । ଏହା ଅଧୀନରେ ଉଭୟ ସରକାରୀ ଏବଂ ବେସରକାରୀ ବ୍ୟାଙ୍କ ଅନ୍ତର୍ଭୁକ୍ତ କରାଯାଇଥିଲା ।

ସରକାରଙ୍କ ଅନୁମୋଦନ ବିନା ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିବ ନାହିଁ । ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ରୁ ମଧ୍ୟ ଅନୁମତି ନେବାକୁ ପଡ଼ିବ । କାରଣ ଆରବିଆଇ ବ୍ୟାଙ୍କଗୁଡିକ ଉପରେ ନଜର ରଖିଥାଏ ଏବଂ କାର୍ଯ୍ୟ ସମୟ ବୃଦ୍ଧି କିମ୍ବା ହ୍ରାସ ହେଲେ ରିଜର୍ଭ ବ୍ୟାଙ୍କର ସୂଚନା ରହିବା ଜରୁରୀ ଅଟେ । ଏନେଇ ସରକାର ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ସକାଳ 10ରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ନିୟମ ରହିଥିବା ବେଳେ ବର୍ତ୍ତମାନ ଏହା ସକାଳ 9.45ରୁ 5ଟା 30 ଯାଏଁ ହୋଇପାରେ ।