ICC Hall of Fameରେ ସାମିଲ ହେଲେ ନୀତୁ ଡେଭିଡ: ଦ୍ୱିତୀୟ ଭାରତୀୟ ମହିଳା କ୍ରିକେଟର ଭାବେ ମିଳିଲା ସମ୍ମାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ହଲ୍ ଅଫ୍ ଫେମରେ ସାମିଲ ହୋଇଛନ୍ତି ପୂର୍ବତନ ଭାରତୀୟ ମହିଳା କ୍ରିକେଟର ନୀତି ଡେଭିଡ୍ । ଦ୍ୱିତୀୟ ଭାରତୀୟ ମହିଳା କ୍ରିକେଟର ଭାବେ ନୀତି ଏହି ସମ୍ମାନ ପାଇଛନ୍ତି । ନୀତିଙ୍କୁ ପୂର୍ବରୁ ୨୦୨୩ରେ ଦିଆନା ଇଦୁଲଜୀ ଏହି ସମ୍ମାନ ପାଇଥିଲେ । ୪୭ ବର୍ଷୀୟା ମହିଳା କ୍ରିକେଟର ନୀତୁ ଟିମ୍ ଇଣ୍ଡିଆର ଜଣେ ପୂର୍ବତନ ସ୍ପିନ ବୋଲର । ସେ ଏବେ ଭାରତୀୟ ମହିଳା କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ପଦରେ ରହିଛନ୍ତି ।

ନୀତିଙ୍କୁ ବ୍ୟତୀତ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡି’ଭିଲିୟର୍ସ ଓ ଇଂଲଣ୍ଡର ପୂର୍ବତନ କ୍ରିକେଟର ଆଲେଷ୍ଟେୟର କୁକଙ୍କୁ ମଧ୍ୟ ଆଇସିସି ହଲ୍ ଅଫ୍ ଫେମରେ ସାମିଲ କରାଯାଇଛି । କୁକ, ନୀତୁ ଓ ଏବିଙ୍କୁ ଯଥାକ୍ରମେ ହଲ୍ ଅଫ୍ ଫେମର ୧୧୩ତମ, ୧୧୪ତମ ଓ ୧୧୫ତମ ସଦସ୍ୟ ଭାବେ ସ୍ଥାନିତ କରାଯାଇଛି । ପୂର୍ବତନ ଭାରତୀୟ କ୍ରିକେଟର ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହି ଖେଳାଳିମାନଙ୍କୁ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରି ଅଭିନନ୍ଦନ ଜଣାଇଛନ୍ତି ।
ବାମହାତୀ ସ୍ପିନର ନୀତୁ ଭାରତ ପାଇଁ ୧୦ଟି ଟେଷ୍ଟ ଓ ୯୭ଟି ଦିନିକିଆ ଖେଳିଛନ୍ତି । ବାମହାତୀ ବ୍ୟାଟ୍ସମ୍ୟାନ କୁକ ଇଂଲଣ୍ଡ ପାଇଁ ୧୬୧ଟି ଟେଷ୍ଟ ଖେଳି ୧୨,୪୭୨ ରନ୍ ସଂଗ୍ରହ କରିବା ସହ ୯୨ଟି ଦିନିକିଆ ଖେଳିଛନ୍ତି । ସେହିପରି ‘୩୬୦ ଡିଗ୍ରୀ’ ଭାବେ ପରିଚିତ ଡି’ଭିଲିୟର୍ସ ଦକ୍ଷିଣ ଆଫ୍ରିକା ପାଇଁ ଖେଳି ଉଭୟ ଦିନିକିଆ ଓ ଟେଷ୍ଟରେ ୫୦ରୁ ଅଧିକ ହାରରେ ରନ୍ ସଂଗ୍ରହ କରି କ୍ରିକେଟରୁ ସନ୍ନ୍ୟାସ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.