ବାତ୍ୟା ପାଇଁ କୂଳକୁ ଫେରିଥିବା ବେଳେ ଅଘଟଣ, ବୁଡିଲା ଡଙ୍ଗା, ଉଦ୍ଧାର ପାଇଁ ଯାଇ ଓଡ୍ରାଫ…

ଭଦ୍ରକ: ବାତ୍ୟା ଦାନା ଉପକୂଳ ଆଡକୁ ମୁହାଁଇ ଚାଲିଛି । ୨୪ ରାତି ବା ୨୫ ସକାଳେ ଉପକୂଳ ଛୁଇଁବ । ଏଥିପାଇଁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀଙ୍କ କୂଳକୁ ଫେରିବାକୁ ନିର୍ଦ୍ଦେଶ ହୋଇଥିଲା । ଏକ ମାଛଧରା ଡଙ୍ଗା ଦିଘା କୂଳକୁ ଫେରିବା ବେଳେ ବୈତରଣୀ ମୁହାଣରେ ବୁଡିଯାଇଥିଲା । ତେବେ ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେମାନେ ସମସ୍ତେ ଦିଘା ଅଞ୍ଚଳର ।

ଦିଘାର ୧୦ ମତ୍ସ୍ୟଜୀବୀ ସମୁଦ୍ରକୁ କିଛି ଦିନ ହେବ ମାଛ ଧରିବାକୁ ଯାଇଥିଲେ । କିନ୍ତୁ ଦାନାର ସତର୍କ ସୂଚନା ଶୁଣି ସେମାନେ ଉପକୂଳକୁ ଫେରିଥିଲେ । କୂଳଟାରୁ କିଛି ଦୂରରେ ପବନ ଓ ଜୁଆର ପାଇଁ ଡଙ୍ଗାଟି ଦୋହଲିବା ସହ ବୁଡି ଯାଇଥିଲା । ଖବର ପାଇଁ ପୋଲିସ ଓ ଓଡ୍ରାଫ ଟିମ ସମୁଦ୍ରକୁ ଯାଇ ସମସ୍ତ ୧୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ସେମାନଙ୍କ ଡଙ୍ଗାକୁ ମଧ୍ୟ ମୁହାଣରେ ଲଗାଇଛନ୍ତି । ଫଳରେ ଏକ ଆସନ୍ନ ବିପଦରୁ ବର୍ତ୍ତି ଯାଇଛନ୍ତି ସମସ୍ତ ୧୦ ମତ୍ସ୍ୟଜୀବୀ ।

ବାତ୍ୟା ଦାନା ପାଇଁ ସରକାର ପକ୍ଷରୁ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରିବାକୁ କୁହାଯାଇଥିଲା । ବାତ୍ୟା ପାଇଁ ଉଚ୍ଚ ଜୁଆର ଉଠିବା ନେଇ ସତର୍କ ସୂଚନା ଜାରି କରାଯାଇଥିଲା । ସୂଚନା ପାଇବା ପରେ ଧାମରା ମୁହାଣରେ ଥିବା ୨୫୩ ପଞ୍ଜିକୃତ ବୋଟ ସମୁଦ୍ରରୁ ଫେରିଆସିଛନ୍ତି । ଆଉ କିଛି କୂଳମୁହାଁ ଅଛନ୍ତି । ବାତ୍ୟାକୁ ନେଇ କୁହାଯାଇଛି କି, ୨୬ ଯାଏଁ ମତ୍ସ୍ୟଜୀବୀ ସମୁଦ୍ରକୁ ନ ଯାଆନ୍ତୁ ।

Get real time updates directly on you device, subscribe now.