ଦେଶରେ ପ୍ରଥମ ଶୁଟିଂ ଲିଗ୍ ଘୋଷଣା କଲା NRAI, ଆସନ୍ତା ମାର୍ଚ୍ଚରେ ହେବ ପ୍ରଥମ ଅଧିବେଶନ

ନୂଆଦିଲ୍ଲୀ: ଭାରତର ଜାତୀୟ ରାଇଫଲ ସଂଘ(NRAI) ଦେଶରେ ପ୍ରଥମ ଶୁଟିଂ ଲିଗ୍ ଆୟୋଜିତ କରିବ । ଏହା କ୍ରୀଡ଼ାର ପ୍ରଥମ ଫ୍ରାଞ୍ଚାଇଜି ଆଧାରିତ ଲିଗ୍ ହେବ । ଏନେଇ NRAI ଅଧ୍ୟକ୍ଷ କଲିକେଶ ନାରାୟଣ ସିଂହ ଦେବ ଏହି ପ୍ରସ୍ତାବ ରଖିଥିବା ବେଳେ ଏହାକୁ ପରିଚାଳନା ପରିଷଦ ସମ୍ମତି ପ୍ରଦାନ କରିଥିଲା । ଆନ୍ତର୍ଜାତିକ ସୁଟିଂ ସ୍ପୋର୍ଟିଂ ମହାସଂଘ (ISSF) ଏହି ଲିଗକୁ ସ୍ୱୀକୃତି ଦିଆଯିବା ପରେ ଏଥିପାଇଁ ଏକ ୱିଣ୍ଡା ପ୍ରସ୍ତୁତ କରାଯିବା ନେଇ କହିଛନ୍ତି ଶ୍ରୀ ଦେବ । ତେବେ ଏହି ଲିଗ୍ ର ନାଁ ରହିଛି ‘ଶୁଟିଂ ଲିଗ୍ ଅଫ୍ ଇଣ୍ଡିଆ’ ।

NRAI ଅଧ୍ୟକ୍ଷ କଲିକେଶ ନାରାୟଣ ସିଂହ ଦେବ କହିଛନ୍ତି ଏହି ଫ୍ରାଞ୍ଚାଇଜି ଲିଗ୍ ଆସନ୍ତା ମାର୍ଚ୍ଚରେ ଆୟୋଜିତ ହେବ । ନିକଟରେ ପ୍ୟାରିସ୍ ଅଲିମ୍ପିକ୍ସରେ ଶୁଟିଂରେ ଦମଦାର ପ୍ରଦର୍ଶନ ପରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇଛି । ତେଣୁ ଏହି ଲିଗ୍ ଆରମ୍ଭ କରିବା ପାଇଁ ଏହା ଉପଯୁକ୍ତ ସମୟ ବୋଲି ଆମେ ବିଚାର କରୁଛୁ । ସଂଗଠିତ ଫ୍ରାଞ୍ଚାଇଜି ଲିଗ୍ କେବଳ କ୍ରୀଡ଼ାକୁ ଅଧିକ ଲୋକପ୍ରିୟ କରିବାରେ ସହାୟକ କରେ ନାହିଁ ବରଂ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହା ସେମାନଙ୍କ ପାଇଁ ଏବଂ ସେମାନଙ୍କ ଆଥଲେଟ୍‌ଙ୍କ ପାଇଁ ନୂତନ ଦର୍ଶକ ଏବଂ ରାଜସ୍ୱ ଆଣିଛି । ଆମେ ଏଭଳି ଆଥଲେଟଙ୍କ ପାଖରେ ଋଣି । ଆମେ ଆଶା କରୁଛୁ କି ସବୁକିଛି କ୍ରୀଡ଼ା ଏବଂ ଏହାର ସର୍ବୋତ୍ତମ କ୍ରୀଡ଼ାବିତଙ୍କ ହିତ ପାଇଁ ହେବ ଯେଉଁମାନେ କିଛି ଦଶନ୍ଧିରେ ବିଶ୍ୱସ୍ତରୀୟ ମଞ୍ଚରେ ଦେଶ ପାଇଁ ଗୌରବ ହାସଲ କରିଛନ୍ତି ବୋଲି ଗର୍ବାନ୍ୱିତ କରିଥିବା କହିଛନ୍ତି ଶ୍ରୀ ଦେବ ।