NCP ମୁମ୍ବାଇର ଅଧ୍ୟକ୍ଷ ଇସ୍ତଫା ଦେଲେ: ଅଜିତ ପାୱାରଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁମ୍ବାଇର ଅଧ୍ୟକ୍ଷ ଇସ୍ତଫା ଦେଇଛନ୍ତି । ବରିଷ୍ଠ ନେତା ଛଗନ ଭୁଜବଳଙ୍କ ପୁତୁରା ତଥା ଏନସିପି ନେତା ସମୀର ଭୁଜବଳ ଏହି ପଦ ଛାଡ଼ିଛନ୍ତି । ସମୀର ମୁମ୍ବାଇ ଏନସିପି ଅଧ୍ୟକ୍ଷ ପଦ ଛାଡ଼ିବା ପରେ ଅଜିତ ପାୱାରଙ୍କୁ ଲାଗିଛି ଏକ ବଡ଼ ଝଟକା । ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଆସୁଥିବା ବେଳେ ତା’ ପୂର୍ବରୁ ସମୀରଙ୍କ ଏହି ପଦକ୍ଷେପ ଏବେ ସଭିଙ୍କୁ ତାଜୁବ କରିଦେଇଛି । ଏଥିସହିତ ସମୀର ନାନ୍ଦଗାଓଁ ବିଧାନସଭା ଆସନରୁ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ଜଣାପଡ଼ିଛି ।

ମହାରାଷ୍ଟ୍ରର ନାନ୍ଦଗାଓଁ ବିଧାନସଭା ଆସନ ପାଇଁ ଏକନାଥ ଶିନ୍ଦେ ପୂର୍ବରୁ ବିଧାୟକ ସୁହାସ କାଣ୍ଡେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛନ୍ତି । ତେଣୁ ଏବେ ଏହି ଆସନରେ ସମୀର ଓ ସୁହାସଙ୍କ ମଧ୍ୟରେ ଲଢ଼େଇ ହେବ । ଜଣାପଡ଼ିଛି ଯେ, ସମୀର ଉକ୍ତ ଆସନରୁ ଲଢ଼ିବା ପାଇଁ ଆଶାୟୀ ଥିଲେ ଓ ଟିକେଟ ମଧ୍ୟ ମାଗିଥିଲେ । ମାତ୍ର ଦଳ ତରଫରୁ ତାଙ୍କୁ ଟିକେଟ ମିଳିବାରୁ ସମୀର ଓ ତାଙ୍କର ସମର୍ଥକମାନେ ଅସନ୍ତୁଷ୍ଟ ହୋଇଥିଲେ । ଶେଷରେ ସମୀର ଆଜି ଦଳର ମୁମ୍ବାଇ ଶାଖାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।