ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣ ମୁକାବିଲା ପାଇଁ ମଇଦାନକୁ ଓହ୍ଲାଇବେ ୧୦ ହଜାର ସିଭିଲ ଡିଫେନ୍ସ ଭଲିଣ୍ଟିୟର, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଫଳରେ ଦିଲ୍ଲୀବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆତିଶୀ ବଡ଼ ପଦକ୍ଷେପ ନେଇଛନ୍ତି । ଦିଲ୍ଲୀରେ ବିଭିନ୍ନ ଏଜେନ୍ସି ସହ ୧୦ ହଜାର ସିଭିଲ ଡିଫେନ୍ସ ଭଲିଣ୍ଟିୟର ମୁତୟନ କରିବାକୁ ସୋମବାର ଘୋଷଣା କରିଛନ୍ତି ଆତିଶୀ ।

ଏକ ଅଧିକାରିକ ବୟାନରୁ ପ୍ରକାଶ କି ଦିଲ୍ଲୀରେ ବସରେ ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ୨୦୧୭-୧୮ ମସିହାରେ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ବସଗୁଡ଼ିକରେ ବସ୍ ମର୍ଶାଲ ମୁତୟନ କରିଥିଲେ । ଏମାନେ ୨-୩ଟି ଶିଫ୍ଟରେ କାମ କରୁଥିଲେ । କିନ୍ତୁ ୨୦୨୩ ଏପ୍ରିଲରେ ଏହି ବସ୍ ମାର୍ଶାଲଙ୍କୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା । ସୋମବାର ପର୍ଯ୍ୟାବରଣ, ଡିପିସିସି ଏବଂ ଜିଲ୍ଲାଧିକାରୀଙ୍କ ସହ ହୋଇଥିବା ଏକ ବୈଠକରେ କିପରି ଡିଫେନ୍ସ ଭଲିଣ୍ଟିୟରମାନେ ପ୍ରଦୂଷଣ ବିରୋଧରେ ମୁକାବିଲା କରିବେ ସେ ନେଇ ନିମ୍ନଲିଖିତ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

୧. ପ୍ରଥମେ କିଛି ବସ୍ ମାର୍ଶାଲଙ୍କୁ ପରିବହନ ବିଭାଗର ଏନଫୋର୍ସମେଣ୍ଟ ବିଭାଗ ସହ ମୁତୟନ କରାଯିବ । ଏହା ଅନ୍ତର୍ଗତ ସେମାନେ ଯାନ ବାହନଗୁଡ଼ିକର PUC ଯାଞ୍ଚ୍ କରିବେ ।

୨. ଦ୍ୱିତୀୟ ଦିଲ୍ଲୀରେ ପ୍ରଦୂଷଣର ୧୩ଟି ହଟ୍ ସ୍ପଟ୍ ଏବଂ ୨୭ଟି ସ୍ଥାନ ଚିହ୍ନଟ କରାଯିବ । ଏହି ସ୍ଥାନରେ ଏମଡିଟିର ଡିସି ସହ ବସ୍ ମାର୍ଶାଲଙ୍କୁ ମୁତୟନ କରାଯିବ ।

୩. ତୃତୀୟ ହେଉଛି ନିର୍ମାଣ ସାଇଟ୍ ଗୁଡ଼ିକରେ ଖୋଲାରେ ଅଳିଆ ଆବର୍ଜନା ପକାଇବା, ପୋଡ଼ିବା ଏବଂ ଜେନେରେଟର ସେଟ୍ ବ୍ୟବହାରକୁ ନେଇ ନଜର ରଖାଯିବ । ଏମସିଡିର ନୀରିକ୍ଷଣ ଟିମ୍ ସହ ସିଭିଲ ଡିଫେନ୍ସ କର୍ମୀ କାର୍ଯ୍ୟ କରିବେ ।

୪. ଡିପିସିସିର ୩୦ଟି ଟିମ୍ ମୁତୟନ ହେବେ ଯେଉଁମାନେ ଆବର୍ଜନା ଏବଂ ଡିଜେଲରେ ଚାଲୁଥିବା ଜେନେରେଟର ବ୍ୟବହାର ଉପରେ ନଜର ରଖିବେ । ତାଙ୍କ ସହ ସିଭିଲ ଡିଫେନ୍ସ କର୍ମୀଙ୍କୁ ମୁତୟନ କରାଯିବ ।

୫. ପଂଚମ ହେଉଛି ‘ଗ୍ରୀନ୍ ୱାର ରୁମ’ରେ ମଧ୍ୟ ସିଭିଲ ଡିଫେନ୍ସ କର୍ମୀଙ୍କୁ ମୁତୟନ କରାଯିବ ।

୬. ପ୍ରଦୂଷଣ ବିରୋଧରେ ସଚେତନତା ଅଭିଯାନରେ ମଧ୍ୟ ସିଭିଲ ଡିଫେନ୍ସ କର୍ମୀଙ୍କୁ ସାମିଲ କରାଯିବ ।