୬ କୋଟି ବରିଷ୍ଠ ନାଗରିକଙ୍କୁ ମୋଦୀଙ୍କ ଦୀପାବଳୀ ଗିଫ୍ଟ: ପ୍ରତିବର୍ଷ ଜଣଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ
ନୂଆଦିଲ୍ଲୀ: ଦେଶର କୋଟି କୋଟି ବରିଷ୍ଠ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳୀ ଉପହାର ଦେଇଛନ୍ତି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ) ଅଧିନରେ ୭୦ ବର୍ଷ ଓ ତା’ଠାରୁ ଅଧିକ ବର୍ଷର ସମସ୍ତ ବୟସ୍କଙ୍କୁ ମିଳିବ ସ୍ୱାସ୍ଥ୍ୟ କଭରେଜ । ଯେ କୌଣସି ଆୟ ବର୍ଗର ବୟସ୍କଙ୍କୁ ପ୍ରତିବର୍ଷ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ । ଆଜି ପ୍ରଧାନମନ୍ତ୍ରୀ ନୂଆ ପର୍ଯ୍ୟାୟ ଆୟୁଷ୍ମାନ ଭାରତ ‘ନିରାମୟମ’ର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀ ଏମ୍ସରେ ଆୟୋଜିତ କାର୍ଯ୍ୟକ୍ରମରେ ପାଖାପାଖି ୧୨,୮୫୦ କୋଟି ଟଙ୍କାର ପ୍ରକଳ୍ପକୁ ମୋଦୀ ଉଦଘାଟନ କରିଥିଲେ । ନବମ ଆୟୁର୍ବେଦ ଦିବସ ଓ ହିନ୍ଦୁ ଚିକିତ୍ସାର ଦେବତା ଧନ୍ୱନ୍ତରୀଙ୍କ ଜୟନ୍ତୀ ଅବସରରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିନ୍ତି ।
୭୦ ବର୍ଷ ଓ ତା’ଠାରୁ ଅଧିକ ବୟସର ବୟସ୍କ ବ୍ୟକ୍ତିମାନେ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇବେ । ସେହିପରି ଯେଉଁ ପରିବାର ପୂର୍ବରୁ ଆୟୁଷ୍ମାନ ଯୋଜନାର ଫାଇଦା ପାଉଛନ୍ତି, ସେମାନଙ୍କ ପରିବାରର ବୟସ୍କ ସଦସ୍ୟଙ୍କୁ ଅଲଗା ଭାବେ ବାର୍ଷିକ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ । ଏହାଦ୍ୱାରା ଦେଶର ୪.୫ କୋଟି ପରିବାରର କୋଟିରୁ ଅଧିକ ବୟସ୍କ ଉପକୃତ ହେବେ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ କମ୍ ଆୟୁ ବର୍ଗଙ୍କୁ ସାମିଲ କରାଯାଇଥିଲା, ମାତ୍ର ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ କରାଯାଇଥିବା ଏହ ସ୍କିମରେ ଆୟର କୌଣସି ସୀମା ରହିବ ନାହିଁ । ଏହି ଯୋଜନା ପାଇଁ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଭାରତ କାର୍ଡ ପ୍ରଦାନ କରାଯିବ, ଯାହାକି ଫାମିଲି ଆୟୁଷ୍ମାନ ପ୍ଲାନ ଠାରୁ ଅଲଗା ରହିବ । ଅକ୍ଟୋବର ୧୯ରୁ ଏହି ସ୍କେଶାଲ କାର୍ଡ ମିଳିବା ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ବୟସ୍କ ବ୍ୟକ୍ତିଙ୍କୁ ଏହି କାର୍ଡ ବଣ୍ଟନ କରିଥିଲେ ।