ନୂଆଦିଲ୍ଲୀ: ପାଖେଇ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଏଥିମଧ୍ୟରେ ରାଜ୍ୟର ପ୍ରାୟ ୮ ହଜାର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ତେବେ ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ଘାଟକୋପର(ପୂର୍ବ)ର ବର୍ତ୍ତମାନ ବିଜେପି ବିଧାୟକ ଥିବା ପରାଗ ଶାହଙ୍କ ନାଁକୁ ନେଇ ବେଶି ଚର୍ଚ୍ଚା ହେଉଛି । ମହାରାଷ୍ଟ୍ର ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ସେ ସବୁଠାରୁ ଧନୀ ପ୍ରାର୍ଥୀ ହୋଇଥିବା ଜଣାପଡ଼ିଛି ।
ନିର୍ବାଚନୀ ଆଫିଡେଭିଟ୍ ଅନୁଯାୟୀ ପରାଗ ଶାହଙ୍କ ପାଖରେ ମୋଟ୍ ସମ୍ପତ୍ତିର ମୂଲ୍ୟ ୩୩୮୩.୦୬ କୋଟି ଟଙ୍କା । ଗତ ୫ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତିରେ ୫୭୫% ବୃଦ୍ଧି ହୋଇଛି । ୨୦୧୯ ବିଧାନସଭା ନିର୍ବାଚନ ସମୟରେ ଦାଖଲ କରିଥିବା ଆଫିଡେଭିଟ୍ ଅନୁଯାୟୀ ତାଙ୍କ ସମ୍ପତ୍ତିର ମୂଲ୍ୟ ୫୫୦.୬୨ କୋଟି ଟଙ୍କା ଦର୍ଶାଯାଇଥିଲା । ଏକ ସାକ୍ଷାତକାରରେ ପରାଗ କହିଥିଲେ, ‘ମୁଁ ଜଣେ ସଚ୍ଚୋଟ ପ୍ରାର୍ଥୀ । ମୁଁ ସଚ୍ଚୋଟ ନୁହେଁ ବୋଲି ମୋ ଶତ୍ରୁମାନେ ମଧ୍ୟ କେବେ କହିନାହାଁନ୍ତି । ଜଣେ ବ୍ୟକ୍ତିର ସମ୍ପତ୍ତି ତାର ଧନ ନୁହେଁ ବର ଭାବନା । ଅଧିକାଂଶ ବ୍ୟକ୍ତିଙ୍କ ପାଖରେ ଧନ ରହିଛି କିନ୍ତୁ ଏହାର ସଦୁପଯୋଗ କରିବା ମୋ ଇଚ୍ଛା । ଭଗବାନ ମୋତେ ସବୁକିଛି ଦେଇଛନ୍ତି, ଦେଶ ମୋତେ ସବୁକିଛି ଦେଇଛି ସେଥିପାଇଁ ବଦଳରେ ମୋତେ ବି କିଛି ଦେବାକୁ ପଡ଼ିବ । ମୁଁ ଜଣେ ନେତା, ବ୍ୟବସାୟୀ ଏବଂ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା । ମୋ ସଂଚୟର ୫୦%ରୁ ଅଧିକ ସମାଜ ସେବା ପାଇଁ ପ୍ରଦାନ କରିଥାଏ ।’
ନିର୍ବାଚନୀ ଆଫିଡେଭିଟ୍ ଅନୁଯାୟୀ ପରାଗଙ୍କ ପାଖରେ ମୋଟ୍ ୧ କୋଟି ୮୧ ଲକ୍ଷ ଟଙ୍କା ନଗଦ ଏବଂ ତାଙ୍କ ପତ୍ନୀଙ୍କ ପାଖରେ ୧.୩୦ କୋଟି ଟଙ୍କା ନଗଦ ରାଶି ରହିଛି । ପରାଗଙ୍କ ନାଁରେ ୭୭ ଲକ୍ଷରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ନିବେଶ ଥିବା ବେଳେ ତାଙ୍କ ପତ୍ନୀଙ୍କ ନାଁରେ ୮.୬୫ କୋଟି ଟଙ୍କାରୁ ଅଧିକ ନିବେଶ ରହିଛି । ତାଙ୍କ ପାଖରେ ମୋଟ୍ ୩, ୩୧୫.୫୨ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଏବଂ ୬୭.୫୩ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ଏହା ବ୍ୟତୀତ ପରାଗଙ୍କ ଉପରେ ୪୩.୨୯ କୋଟିରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ଋଣ ଥିବାବେଳେ ତାଙ୍କ ପତ୍ନୀଙ୍କ ଉପରେ ୧୦.୮୫ କୋଟି ଟଙ୍କାର ଋଣ ରହିଛି । କିନ୍ତୁ ତାଙ୍କ ପାଖରେ କୌଣସି ଗାଡ଼ି ନଥିବା ଆଫିଡେଭିଟରେ ଦର୍ଶାଯାଇଛି । ସେ ଜଣେ ରିୟଲ ଇଷ୍ଟେଟ୍ ଡେଭେଲପର । ଗଜରାଟ ଏବଂ ଚେନ୍ନାଇରେ ତାଙ୍କ ବ୍ୟବସାୟ ବ୍ୟାପିଛି ।