ନୂଆଦିଲ୍ଲୀ: ସ୍ପେନରେ ମୂସଳ ବର୍ଷା ପାଇଁ ବନ୍ୟା ସୃଷ୍ଟି ହୋଇଛି । ପୂର୍ବ ସ୍ପେନରେ ପ୍ରକୃତି କରୁଛି ତାଣ୍ଡବ । ଗୁରୁବାର ରାତି ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୫୮ ଟପିଛି । ଅନେକ ଲୋକଙ୍କର ପତ୍ତା ମିଳୁନି । ସେନା ଓ ଉଦ୍ଧାରକାରୀ ଦଳ ମୃତ ଓ ନିଖୋଜଙ୍କ ଉଦ୍ଧାରରେ ଲାଗିଛନ୍ତି । କୁହାଯାଉଛି ସ୍ପେନର ଏହି ଜଳ ପ୍ରଳୟ ବିଗତ ୫୦ ବର୍ଷରେ ୟୁରୋପରେ ସବୁଠାରୁ ବଡ ବିପତ୍ତା ।
ଭେଲେନ୍ସିଆ ଅଞ୍ଚଳର କିଛି ଅଂଶରେ ମଙ୍ଗବାର ୮ ଘଣ୍ଟାରେ ମୂସଳ ବର୍ଷା ହୋଇଥିଲା । ମେୟର ମାରିୟା ଜୋସ କେଟଲା କହିଛନ୍ତି, ଗୁରୁବାରରୁ ଉଦ୍ଧାର କାମ ଆରମ୍ଭ ହୋଇଛି । ବାଲେନ୍ସିୟା ବାହାରେ ଥିବା ଏକ ଗ୍ୟାରେଜରୁ ଜଣେ ପୋଲିସ କର୍ମୀଙ୍କ ସହ ୮ ଜଣଙ୍କ ଶବ ଜବତ ହୋଇଛି । ଲା ଟୋରେ ନିକଟରେ ଜଣେ ୪୫ ବର୍ଷିୟା ମହିଳାଙ୍କୁ ମୃତଦେହ ତାଙ୍କ ଘରୁ ମିଳିଛି । ହଠାତ୍ ପାଣି ପୂର୍ବାଞ୍ଚଳକୁ ମାଡି ଆସିବାରୁ ରାସ୍ତାରେ କାର ଓ ଯାନ ବାହନରେ ଯାତ୍ରା କରୁଥିବା ଲୋକେ ଫସି ଯାଇଥିଲେ । ଅନେକ ଗାଡିକୁ ପ୍ରଖର ସୁଅ ବୋହି ନେଇଥିଲା । ଉଦ୍ଧାରକାରୀ ଦଳ ଜୀବିତ ଓ ମୃତକଙ୍କ ମୃତଦେହ କାର ଭିତରୁ ବାହାର କରୁଛି । ଅନେକ ଭଙ୍ଗା ଘରୁ ତଥା ମାଟି କାଦୁଅରୁ ମଧ୍ୟ ମୃତଦେହ ଉଦ୍ଧାର ହେଉଛି ।
ଏହି ବନ୍ୟାକୁ ନେଇ ସେଠାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ବିରୋଧୀ ନେତା କେନ୍ଦ୍ର ସରକାର ଉପରେ ଅଭିଯୋଗ ଆଣିଛନ୍ତି କି, ଲୋକଙ୍କୁ ଆଗୁଆ ସଚେତନ କରାଯାଇନଥିଲା । ଏଥିସହ ଉଦ୍ଧାର କାମରେ ବିଳମ୍ବ ଓ ମନ୍ଥରତା ପାଇଁ ଅନେକ ଲୋକଙ୍କ ଜୀବନହାନୀ ଘଟିଛି ।