ହ୍ୱାଟ୍ସଆପରେ ଆସିଲା ମେସେଜ… ଲିଙ୍କ ଉପରେ କ୍ଲିକ୍ କରି ଜଏନ୍ କଲେ ଅନଲାଇନ୍ କ୍ଲାସ, ଆକାଉଣ୍ଟରୁ ଖାଲି ହେଲା ୫୦ ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ଦିନକୁ ଦିନ ଭାତରରେ ଅନଲାଇନ୍ ଠକେଇର ମାମଲା ବୃଦ୍ଧି ପାଇବାରେ ଲାଗିଛି । ସାଇବର ଠକମାନେ ବି ଦିନକୁ ଦିନ ସକ୍ରୀୟ ହେବା ସହ ଠକାମୀର ବିଭିନ୍ନ ପନ୍ଥା ଆପଣାଉଛନ୍ତି । ଏହା ଉଭୟ ପୋଲିସ ଏବଂ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅଧିକାଂଶ ସାଇବର ଠକ ବୟସ୍କ ବ୍ୟକ୍ତିଙ୍କୁ ଟାର୍ଗେଟ କରିଥାନ୍ତି କାରଣ ଏଭଳି ବ୍ୟକ୍ତିଙ୍କୁ ଲୋଭ ଦେଖାଇ କିମ୍ବା ଡରାଇ ନିଜ ଜାଲରେ ଫସାଇବା ସହଜ ହୋଇଥାଏ ।
ନିକଟରେ ହାଇଦ୍ରାବାଦରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ସାଇବର ଠକ ଶେୟାର ବଜାରରେ ଟଙ୍କା ନିବେଶ ମାଧ୍ୟମରେ ଅଧିକ ଲାଭର ଆଶା ଦେଖାଇ ଜଣେ ୬୩ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କୁ ଟାର୍ଗେଟ କରିଥିଲେ । ସାଇବର ଠକମାନେ ‘ସ୍କାୟରିମ କ୍ୟାପିଟାଲ’ ନାମକ ପ୍ଲାଟଫର୍ମରେ ଉକ୍ତ ବ୍ୟକ୍ତିଙ୍କୁ ନିବେଶ କରିବା ପାଇଁ ହ୍ୱାଟ୍ସଆପରେ ଏକ ଗ୍ରୁପରେ ସାମିଲ ହେବା ପାଇଁ ଏକ ଲିଙ୍କ ପଠାଇଥିଲେ । ଏହି ଗ୍ରୁପର ନାଁ ହେଉଛି ‘ଷ୍ଟକ୍ ଡିସକସନ୍ ଗ୍ରୁପ୍’ । ଗ୍ରୁପ୍ ଆଡମିନ୍ କୁଣାଳ ସିଂହ ନିଜକୁ ଏକ ପ୍ରତିଷ୍ଠିତ ଆର୍ଥିକ ପରାମର୍ଶଦାତା ଭାବେ ପରିଚୟ ଦେଇଥିଲେ । ଏହା ସହ ସେ ଲୋକଙ୍କୁ ଦାବି କରୁଥିଲେ କି ଷ୍ଟକ୍ ମାର୍କେଟରେ ନିବେଶର କୌଶଳ ଶିଖାଉଥିବା ଦାବି କରୁଥିଲେ । ତାଙ୍କ ମାର୍ଗଦର୍ଶନରେ ଅନେକ ବ୍ୟକ୍ତିଙ୍କୁ ମୋଟା ଅଙ୍କର ଲାଭ ହୋଇଥିବା ସେ ଦର୍ଶାଇଥିଲେ । ତାଙ୍କ କହିବାନୁଯାୟୀ ଷ୍ଟକ୍ସରେ ଟଙ୍କା ନିବେଶ କଲେ ୫୦୦% ପର୍ଯ୍ୟନ୍ତ ରିଟର୍ଣ୍ଣ ମିଳିଥାଏ ।
ତେବେ ସେ ବୟସ୍କ ବ୍ୟକ୍ତି ଜଣଙ୍କୁ ତାଙ୍କ ଦ୍ୱାରା ପରିଚାଳିତ ଅନଲାଇନ୍ କ୍ଲାସରେ ଯୋଗ ଦେବା ପାଇଁ କହିଥିଲେ । ପ୍ରଥମେ ପ୍ରଥମେ ଛୋଟ ଛୋଟ ରାଶି ନିବେଶ ମାଧ୍ୟମରେ ହେଉଥିବା ଲାଭ ଦେଖାଇ ଉକ୍ତ ପୀଡ଼ିତଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଥିଲେ ଠକ । ଏହାପରେ ଧୀରେ ଧୀରେ ଠକ ଅଧିକ ରାଶି ନିବେଶ କରିବା ପାଇଁ ଦାବି କରିଥିଲେ । ଏପରି ଭାବେ ଉକ୍ତ ବୟସ୍କ ବ୍ୟକ୍ତି ଜଣଙ୍କ ୫୦ ଲକ୍ଷ ଟଙ୍କା ନିବେଶ କରିଥିଲେ । ଠକମାନେ ଏହି ରାଶି ଉପରେ ପୀଡ଼ିତକୁ ଲାଭ ଦେଖାଇ ଚାଲିଥିଲେ । କିନ୍ତୁ ଯେବେ ପୀଡ଼ିତ ଟଙ୍କା ଉଠାଇବାକୁ ଚାହିଁଲେ ସେଥିରେ ସମସ୍ୟା ଦେଖାଗଲା । ଏହା ପରେ ତାଙ୍କୁ ଅନୁଭବ ହେଲା କି ସେ ସାଇବର ଠକାମୀର ଶିକାର ହୋଇଛନ୍ତି । ଏନେଇ ସେ ସ୍ଥାନୀୟ ପୋଲିସ ନିକଟରେ ଏକ ମାମଲା ରୁଜୁ କରିଥିବାର ଜଣାପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସାଇବର ଠକଙ୍କ କିଛି ଟେର୍ ପାଇନି ପୋଲିସ । ତେବେ ସାଇବର ଠକଙ୍କ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କୌଣସି ସନ୍ଦିଗ୍ଧ ଲିଙ୍କ ଉପରେ କ୍ଲିକ୍ କରିବା ଠାରୁ ଦୂରେଇ ରୁହନ୍ତୁ ।