ହାଇଦ୍ରାବାଦ: ଦେଶକୁ ଇଂରେଜମାନଙ୍କ କବଳରୁ ସ୍ୱାଧୀନ କରିବାରେ ଯେଉଁ ମହାପୁରୁଷଙ୍କର ବଡ଼ ଭୂମିକା ଥିଲା ଆଜିର ଯୁବିପିଢ଼ି ତାଙ୍କ ସମ୍ମାନ କରୁନାହିଁ । ନିଜର ତ୍ୟାଗ ଓ ସାହସୀକତା ପାଇଁ ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତାର ମାନ୍ୟତା ମିଳିବା ପରେ ଏବେ ତାଙ୍କ ପ୍ରତିମୂର୍ତ୍ତିକୁ ନଷ୍ଟ କରିବାକୁ ପଛାଉ ନାହାନ୍ତି କିଛି ଅମାନୁଷିକ । ସୋସିଆଲ ମିଡିଆରେ ଗାନ୍ଧୀଜୀଙ୍କ ଭଙ୍ଗା ପ୍ରତିମୂର୍ତ୍ତିର କିଛି ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ଖବର ଅନୁସାରେ ଘଟଣାଟି ହାଇଦ୍ରାବାଦର କୁକଟପଲ୍ଲୀର ବୋଲି ଜଣାପଡ଼ିଛି । ପ୍ରଗତୀ ନଗର ଝରଣା ନିକଟରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ମୁଣ୍ଡକୁ ଭାଙ୍ଗି ତଳେ ଗଡ଼େଇ ଦେଇଛନ୍ତି କିଛି ଦୁର୍ବୃତ୍ତ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେଠାକାର ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି । ଏଥିସହ ମୂର୍ତ୍ତି ଭାଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ମଧ୍ୟ ପୋଲିସ ସୂଚନା ଦେଇଛି ।
ସମାନ ପ୍ରକାରର କିଛି ଘଟଣା ବୋବେନପଲ୍ଲୀ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଏକ ଛୋଟ ବାଳକ ବାଣ ରଖି ଫୁଟାଉଥିବା ଦେଖିବାକୁ ମିଳିଥିଲା । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ପୋଲିସ ପିଲାଟିର ଚିହ୍ନଟ କରିଥିଲା । ଏବଂ ଗାନ୍ଧୀଙ୍କ ପ୍ରତିମା ସାମ୍ନାରେ ଭୁଲ୍ ମଗେଇଥିଲା । ପିଲାର ଏ ପ୍ରକାର କାର୍ଯ୍ୟ ପାଇଁ ତା’ ଅଭିଭାବକମାନେ ମଧ୍ୟ କ୍ଷମା ମାଗିଥିଲେ ।
ସାନମାନଙ୍କୁ ସ୍ନେହ ଓ ବଡ଼ଙ୍କୁ ସମ୍ମାନ ଜଣାଇବା କଥା ଆମକୁ ପିଲାବେଳୁ ଶିଖାଯାଏ । କିନ୍ତୁ ଏ କଥାକୁ ଆମେ କିପରି ପାଳନ କରୁ ତାହା ବଡ଼ ହେଲା ପରେ ହିଁ ଜଣାପଡ଼େ । ଜାତିର ପିତା ବୋଲାଉଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା କିମ୍ବା ତା’ ସହିତ ମଜା କରିବାରେ ଏ ଘଟଣା ପ୍ରଥମ ନୁହେଁ , ପୂର୍ବରୁ ବହୁଥର ଏକାଧିକ ସ୍ଥାନରୁ ସମାନ ଅଭିଯୋଗ ସାମ୍ନାକୁ ଆସିଛି । ଭାରତୀୟ ହୋଇ ଏପ୍ରକାର ବ୍ୟବହାର ଆମ ସ୍ୱାଭିମାନ ଉପରେ ପ୍ରଶ୍ନବାଚୀ ସୃଷି କରୁଛି ।