‘ଜୁଲାଇ ୧୩ ତାରିଖ’ ସାଜିଲା ଟ୍ରମ୍ପଙ୍କ ବିଜୟର ଟର୍ଣ୍ଣିଂ ପଏଣ୍ଟ! ୦.୦୫ ସେକେଣ୍ଡର ଜୀବନ-ମୃତ୍ୟୁର ଖେଳ ବଦଳାଇ ଦେଲା ଆମେରିକାର ଜନାଦେଶ

ନୂଆଦିଲ୍ଲୀ: କୌଣସି ଦେଶର ନିର୍ବାଚନ, କ୍ରୀଡ଼ା ବା ଅନ୍ୟ ଯେ କୌଣସି କ୍ଷେତ୍ରରେ ବିଜୟୀ ହେବା ପରେ ବିଜେତାଙ୍କର ସମସ୍ତେ ଜୟ ଜୟ ଗାନ କରିଥାନ୍ତି । ତେବେ ବିଜୟୀ ହେବା ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ କେତେ ଯେ ଘାତ ପ୍ରତିଘାତ ଦେଇ ମରଣ ସହ ଲଢ଼ିବାକୁ ହୁଏ, ତାହା ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ପ୍ରମାଣ କରିଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲଲ୍ଡ ଟ୍ରମ୍ପ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସଙ୍କ ମଧ୍ୟରୁ କିଏ ଜିତିବ ତାହା ଯଦିଓ କହିବା ମୁସ୍କିଲ ଥିଲା ତେବେ କିଛି ଘଟଣା ଟ୍ରମ୍ପଙ୍କ ବିଜୟକୁ ସହଜ କରିଦେଇଥିଲା । କଠିନ ପରିଶ୍ରମ, ରକ୍ତର ବଳିଦାନ କେବେ ଯେ ବ୍ୟର୍ଥ ଯାଏ ନାହିଁ ତାହା ଆଜି ସାରା ବିଶ୍ୱବାସୀଙ୍କୁ ଶିକ୍ଷା ଦେଇଛନ୍ତି ଟ୍ରମ୍ପ ।

ଗତ ଜୁଲାଇ ମାସ ୧୩ ତାରିଖରେ ଆସିଥିଲା ଟ୍ରମ୍ପଙ୍କ ରାଜନୈତିକ ଜୀବନରେ ଏକ ନୂଆ ମୋଡ଼ । ନିର୍ବାଚନ ପାଇଁ ଆଉ ମାତ୍ର କମ୍ ସମୟ ବାକିଥିବାବେଳେ ସେହିଦିନ ଟ୍ରମ୍ପଙ୍କୁ ମାରିବାକୁ ଉଦ୍ୟମ ହୋଇଥିଲା । ଟ୍ରମ୍ପଙ୍କ କାନର ଅତି ନିକଟରେ ବାଜି ଗୁଳି ଚାଲିଯାଇଥିଲା । ଜୀବନ-ମୃତ୍ୟୁର ସେହି ୦.୦୫ ସେକେଣ୍ଡର ଖେଳ ସତେ ଯେମିତି ଜନତାଙ୍କ ମୁଡକୁ ବଦଳାଯାଇଥିଲା । ସେହି ଘଟଣା ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ନିର୍ବାଚନର ବିଜୟପଥକୁ ଓଲଟ ପାଲଟ କରିଦେଇଥିଲା । ସେହି ଗୁଳିକାଣ୍ଡ ଘଟଣା ଟ୍ରମ୍ପକୁ ନିର୍ବାଚନରେ ଜିତିବାରେ ଅନେକମାତ୍ରାରେ ସହାୟକ ହୋଇଥିବା କୁହାଯାଉଛି ।

୨୦ ବର୍ଷୀୟ ଥମସ ମାଥ୍ୟୁ କ୍ରୁକ୍ସ ପେନସିଲଭେନିଆର ବଟଲର ପାର୍କରେ ଟ୍ରମ୍ପଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଆର ଷ୍ଟାଇଲ ୫୫୬ ରାଇଫଲରୁ ଚଳାଇଥିବା ଗୁଳି ଟ୍ରମ୍ପଙ୍କ କାନରେ ବାଜି ରକ୍ତ ଝରିଥିଲା । ଆଉ ସେହି ରକ୍ତ ଟ୍ରମ୍ପଙ୍କୁ ପିନ୍ଧାଇଥିଲା ବିଜୟର ଟିକା । ସେଇ କିଛି ସେକେଣ୍ଡ ମଧ୍ୟରେ କାହାଣୀର ଅନ୍ତ ଘଟିଥିଲା, ମାତ୍ର ସେହି ସେହି କାହାଣୀ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନର ଟର୍ଣ୍ଣି ପଏଣ୍ଟ ସାଜିବା ସହ ନୂଆ ଇତିହାସ ଲେଖିଥିଲା । ଯଦି ଟ୍ରମ୍ପ ନିଜର ମୁଣ୍ଡ ଡାହାଣ ପଟକୁ ଘୁରାଇଥାନ୍ତେ ତେବେ ସେ ନିର୍ବାଚନରେ ଜିତିବା ତ ଦୂରର କଥା, ଜୀବିତା ରହିବା ମୁସ୍କିଲ ହୋଇଯାଇଥାନ୍ତା । ଟ୍ରମ୍ପ ଯେଉଁ ଭଳି ଭାବେ ସେହି ଗୁଳିମାଡ଼ରୁ ରକ୍ଷା ପାଇଥିଲେ ତାହା କୌଣସି ଚମତ୍କାର ଠାରୁ କମ୍ ନୁହେଁ ।

ଟ୍ରମ୍ପ ଯଦି ଇମିଗ୍ରେସନ ଚାର୍ଟକୁ ଦେଖିବା ପାଇଁ ବୁଲି ନଥାନ୍ତେ ତେବେ ତାଙ୍କର ଡାହାଣ କାନରେ ବାଜି ମୁଣ୍ଡରେ ପ୍ରବେଶ କରିଥାନ୍ତା । ତେଣୁ କହିବାକୁ ଗଲେ ଇମିଗ୍ରେସନ ଚାର୍ଟ ହିଁ ଟ୍ରମ୍ପଙ୍କ ଜୀବନ ବଞ୍ଚାଇଥିଲା । ଆଉ ଆଜି ସେହି ଟ୍ରମ୍ପ ବିଶ୍ୱର ଶକ୍ତିଶାଳୀର ରାଷ୍ଟ୍ରର ମହାନାୟକ ଆସନରେ ବସିବାକୁ ଯାଉଛନ୍ତି । ଏପରି ସ୍ଥିତିରେ ସେ ଜୀବିତ ରହିବା ମୁସ୍କିଲ ହୋଇଯାଇଥାନ୍ତା । ପ୍ରକୃତରେ ଗୋଳିକୁ ଟାର୍ଗେଟ ପର୍ଯ୍ୟନ୍ତ ପହଞ୍ଚିବାରେ ଏକ ସାଇନ୍ସ କାମ କରିଥାଏ । ବିଭିନ୍ନ ରାଲିରେ ସିକ୍ରେଟ ସର୍ଭିସର ଲୋକମାନେ କିଛି ଖାସ୍ ସାଇଣ୍ଟିଫିକ ଯନ୍ତ୍ର ଓ ଟେକ୍ନୋଲୋଜିର ଉପଯୋଗ କରି ଭିଆଇପିଙ୍କୁ ଆକ୍ରମଣକାରୀଙ୍କ ଠାରୁ ବଞ୍ଚାଇଥାନ୍ତି ।