ଶୀତ ଦିନେ ଆଖିରେ ଶୁଷ୍କତା ଦେଖାଯାଉଛି କି ? ଜାଣନ୍ତୁ ଏହାର ଲକ୍ଷଣ, କାରଣ ଏବଂ ନିରାକରଣ

ଓଡ଼ିଶା ଭାସ୍କର: ଶୀତ ଦିନ ଆରମ୍ଭ ହେବା ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଥଣ୍ଡା ପବନ ଏବଂ ବାୟୁମଣ୍ଡଳରେ ଆଦ୍ରତା ହ୍ରାସ ହେବା ଯୋଗୁଁ ତ୍ୱଚାରେ ଶୁଷ୍କତା ଦେଖାଦେଇଥାଏ । ବିଶେଷକରି ଆଖିରେ । ଫଳରେ ଆଖି କୁଣ୍ଡାଇବା, ଆଲର୍ଜୀ, ଥକ୍କାପଣ ଇତ୍ୟାଦି ଦେଖାଯାଇଥାଏ । ତେବେ ଆସନ୍ତୁ ଜାଣିବା ଆଖି ଶୁଷ୍କ ହେବାର ଲକ୍ଷଣ, କାରଣ ଏବଂ ଏହି ସମସ୍ୟା ଠାରୁ କିପରି ନିଜକୁ ସୁରକ୍ଷିତ ରଖିପାରିବେ ।

ଆଖି ହେଉଛି ଶରୀରର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ । ଏହି ରଂଗୀନ ଦୁନିଆକୁ ଆମେ କେବଳ ଆଖି ସାହାଯ୍ୟରେ ହିଁ ଉପଭୋଗ କରିଥାଉ । କିନ୍ତୁ ଶୀତ ଦିନେ ଆଖି ସ୍ୱାସ୍ଥ୍ୟର ଯତ୍ନ ନେବା ଅଧିକ ଜରୁରୀ । ତେବେ ଶୀତ ଦିନେ ଆଖି ଶୁଷ୍କ ହେବାର ନିମ୍ନଲିଖିତ କାରଣ

୧. ଥଣ୍ଡା ହାୱା

୨. ଶୀତ ଦିନେ ବାୟୁମଣ୍ଡଳରେ ଆଦ୍ରତା କମ ଥିବାରୁ ଆଖିରେ ଲୁହ ସୃଷ୍ଟି ହେବା କମିଯାଏ ଯେଉଁଥିପାଇଁ ଆଖିର ଶୁଷ୍କତା ବୃଦ୍ଧି ପାଇଥାଏ ।

୩. ପ୍ରଦୂଷଣ, ଧୂଆଁ, ଏସି ଏବଂ ହିଟର ସଂସ୍ପର୍ଶରେ ଆସିବା

୪. କିଛି ଔଷଧ ସେବନ ଦ୍ୱାରା ମଧ୍ୟ ଆଖିର ଶୁଷ୍କତା ବୃଦ୍ଧି ପାଇଥାଏ । ଆଲର୍ଜୀ, ଉଚ୍ଚ ରକ୍ତଚାପ କିମ୍ବା ଆଣ୍ଟିହିଷ୍ଟାମାଇନ୍ ଭଳି ଔଷଧ ଆଖି ସମସ୍ୟା ସୃଷ୍ଟି କରିପାରେ ।

୫. ନିରନ୍ତର ଗରମ ଏବଂ ଥଣ୍ଡା ବାତାବରଣ ସଂସ୍ପର୍ଶରେ ଆସିବା ।

୬. ମଧୁମେହ, ଥାଇରଏଡ୍ ଏବଂ ଆର୍ଥ୍ରାଇଟିସ ଭଳି ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ଆଖିରେ ଶୁଷ୍କତା ଦେଖାଦେଇଥାଏ ।

ଶୁଷ୍କ ଆଖିର ଲକ୍ଷଣ

୧. ଆଖିରେ ଯନ୍ତ୍ରଣା୨. ଆଖିରେ କୁଣ୍ଡାଇବା
୩. ଝାପ୍ସା ଦେଖାଯିବା/ ଆଖିରେ ବାଲି ଭଳି କିଛି ଅନୁଭବ ହେବା
୪. ଆଖିରେ ଭାରିପଣ
୫. ପଢ଼ିବାରେ ସମସ୍ୟା

ତେବେ ଶୀତ ଦିନେ ଶୁଷ୍କ ଆଖିରୁ କିପରି ନିଜକୁ ରକ୍ଷା କରିପାରିବା ?

୧. ଆଖିର ଆଦ୍ରତା ବଜାୟ ରଖିବା ପାଇଁ କୃତ୍ରିମ ଲୁହ ପାଇଁ ଏକ ପ୍ରକାର ଔଷଧ ବ୍ୟବହାର କରିପାରିବା ।

୨. କକ୍ଷରେ ହ୍ୟୁମିଡିଫାୟାର ବ୍ୟବହାର କରିବା

୩. ରାତିରେ ଶୋଇବା ପୂର୍ବରୁ ଆଖିରେ ଉଷୁମ ସେକ୍ ଦେବା । ଏହା ଦ୍ୱାରା ଆଖିର ମାଂସପେଶୀକୁ ଆରାମ ମିଳିବା ସହ ଫୁଲା କମିଥାଏ ।

୪. ପର୍ଯ୍ୟାପ୍ତ ମାତ୍ରାରେ ନିଦ୍ରା

୫. ବାହାରେ ପ୍ରଦୂଷଣ, ଧୂଆଁ କିମ୍ବା ଥଣ୍ଡା ହାୱାରୁ ଆଖିକୁ ସୁରକ୍ଷିତ ରଖିବା ପାଇଁ ଖରା ଚଷମା/ ଗଗଲ୍ସ ବ୍ୟବହାର କରନ୍ତୁ ।

୬. ଯେତେଦୂର ସମ୍ଭବ କମ୍ପ୍ୟୁଟର, ମୋବାଇଲ ଓ ଟାବଲେଟ୍ ଭଳି ବୈଦ୍ୟୁତିକ ଉପକରଣ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରିବା ଠାରୁ ନିଜକୁ ଦୂରେଇ ରଖନ୍ତୁ ।