ନୂଆଦିଲ୍ଲୀ: ଓଡିଆ ଯୁବତୀଙ୍କୁ ରାଜଧାନୀ ଦିଲ୍ଲୀର ସରାୟ କାଲେରେ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏହି ତିନି ଜଣଙ୍କ ପାଖରେ ପହଞ୍ଚିବା ପାଇଁ ପୋଲିସକୁ ବହୁ କସରତ କରିବାକୁ ପଡିଛି । ପ୍ରାୟ ୨୦ ଦିନ ଭିତରେ ପୋଲିସ ଦୁଷ୍କର୍ମକାରୀଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇଛି । ଏହି ମାନସିକସ୍ତରରେ ବିକଳାଙ୍ଗଙ୍କୁ ଧରିବାକୁ ପୋଲିସ ଘଟଣାସ୍ଥଳର ୧୦ କିମି ପରିଧି ଭିତରେ ଥିବା ୭୦୦ ସିସି ଟିଭି କ୍ୟାମେରା ଓ ୧୫୦ରୁ ଅଧିକ ଅଟୋର ମାଇନା କରିଥିଲା ।
ପୀଡିତା ଯୁବତୀ ଘଟଣା ସମ୍ପର୍କରେ ପୋଲିସକୁ କେବଳ ଏତିକି କହିଥିଲେ କି, ତାଙ୍କ ସହ ୩ ଜଣ ଦୁଷ୍କର୍ମ କରିଛନ୍ତି ଓ ଏକ ଅଟୋ ଏଥିରେ ବ୍ୟବହାର ହୋଇଛି । ଏତିକି ସୂଚନା ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଟେକ୍ନୋଲୋଜିର ସାହାଯ୍ୟ ନେଇଥିଲା । ସରାୟକାଲେରୁ ୧୦ କିମି ପରିଧି ଭିତରେ ଥିବା ସବୁ ସିସିଟିଭି ଯାଞ୍ଚ କରିବା ସହ ଘଟଣାରେ ପ୍ରାଥମିକ ସନ୍ଦିଗ୍ଧ ବସ୍ତୁ ଭାବେ ଅଟୋକୁ ନେଇଥିଲା । ଏହି ସବୁ କ୍ୟାମେରା ଭିତରେ ଦେଖାଦେଇଥିବା ସବୁ ଅଟୋ ଭିତରୁ ୧୫୦ ଅଟୋର ଗତିବିଧି ଉପରେ ପୋଲିସର ସନ୍ଦେହ ହୋଇଥିଲା ଓ ସେହିସବୁ ଅଟୋର ସବିଶେଷ ବିବରଣୀ ବାହାର କରିବା ପରେ ପ୍ରତି ଚାଳକର ଘରେ ପହଞ୍ଚିଥିଲା ଦିଲ୍ଲୀ ପୋଲିସ ।
ଏହି ପରି ତଦନ୍ତ କରି କରି ପୋଲିସ ପ୍ରଥମେ ଅଭିଯୁକ୍ତ ଅଟୋ ଚାଳକକୁ ଧରିବାରେ ସକ୍ଷମ ହୋଇଥିଲା । ତାକୁ ଜେରା କରିବା ସମୟରେ ସେ ମାନିଥିଲା ସବୁ କଥା ମାନିଥିଲା । ତାର ତଥ୍ୟ ଆଧାରରେ ପୋଲିସ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ପାଖରୁ ପୋଲିସ ଜାଣିବାକୁ ପାଇଛି କି, ଘଟଣା ରାତିରେ (ଅକ୍ଟୋବର ୧୦ ଓ ୧୧ ରାତି) ଅଭିଯୁକ୍ତ ପ୍ରମୋଦ ତାର ଦୋକାନ ବନ୍ଦ କରି ଯିବା ସମୟରେ ତାର ଆଖି ପଡିଥିଲା ରାସ୍ତା କଡରେ ବସିଥିବା ପୀଡିତା ଉପରେ । ପ୍ରମୋଦ ନିଶାସକ୍ତ ଥିବାରୁ ସେ ଯୁବତୀଙ୍କ ସହ ଦୁଷ୍କର୍ମ କରିବାକୁ ଚିନ୍ତା କରିଥିଲା, ଠିକ ସେତିକି ବେଳେ ସେହି ଅଞ୍ଚଳରେ ଭିକ ମାଗୁଥିବା ମହମ୍ମଦ ଶମଶୁଲ ପହଞ୍ଚିଥିଲା । ଦୁହେଁ ପ୍ଲାନ କରି ଯୁବତୀଙ୍କୁ ଘୋଷାରି ନେଇଥିଲେ ନିକଟରେ ଥିବା ଏକ ଖାଲି ଯାଗାକୁ ଓ ସେଠାରେ ଦୁଷ୍କର୍ମ କରିଥିଲେ ।
ସେତିକି ବେଳେ ସେହି ରାସ୍ତାରେ ଯାଉଥିବା ରିକ୍ସା ଚାଳକ ପ୍ରଭୁ ମହତୋର ଆଖି ପଡିଥିଲା ଏମାନଙ୍କ ଉପରେ । ସେ ମଧ୍ୟ ଦୁଇ ଜଣଙ୍କ ସହ ସାମିଲ ହୋଇଥିଲା । ଦୁଷ୍କର୍ମ ପରେ ମଧ୍ୟ ତାର ମନ ଭରି ନ ଥିଲା, ତେଣୁ ପ୍ରଭୁ ପୀଡିତାଙ୍କୁ ତା ଅଟୋକୁ ନେଇ ସେଠି ଦୁଷ୍କର୍ମ କରିଥିଲା । ତା ପରେ ଅଟୋରେ ପୀଡିତାଙ୍କୁ ନେଇ ସରାଏ କାଲେ ଆଡକୁ ଯାଇ ରାସ୍ତାରେ ଫିଙ୍ଗି ଚାଲିଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଦେଖି ଜଣେ ସେନା କର୍ମଚାରୀ ପୋଲିସକୁ ଭୋର ସମୟରେ ସୂଚନା ଦେଇଥିଲେ । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ୧୦ଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା ।