ମୁକେଶ ଅମ୍ବାନୀଙ୍କ ଠାରୁ ୫ ଗୁଣ ଅଧିକ ଦାନ କରିଛନ୍ତି ଏହି ଶିଳ୍ପପତି, ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ଆଦାନୀ

ନୂଆଦିଲ୍ଲୀ: ଗୁରୁବାର ଏଡେଲ ଗିଭ୍ ହୁରୁନ୍ ଇଣ୍ଡିଆ ପକ୍ଷରୁ ଫିଲାନଥ୍ରୋପି(Philanthropy) ତାଲିକା ୨୦୨୪ ପ୍ରକାଶ ପାଇଛି । ଏହି ତାଲିକାରେ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କୁ ବି ପଛରେ ପକାଇଛନ୍ତି ଏହି ଶିଳ୍ପପତି । ଏହି ଫିଲାନଥ୍ରୋପି ତାଲିକାରେ ମୋଟ୍ ୧୫୩୯ ଧନୀ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା ଯେଉଁମାନଙ୍କ ସମ୍ପତ୍ତି ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ । ତେବେ ଆସନ୍ତୁ ଜାଣିବା ଏହି ତାଲିକାରେ କିଏ କେଉଁ ସ୍ଥାନରେ ରହିଛନ୍ତି ।

ଦେଶର ସବୁଠାରୁ ଧନୀ ଶିଳ୍ପପତି ଭାବରେ ଜଣାଶୁଣା ମୁକେଶ ଅମ୍ବାନୀ । ଗତ ବର୍ଷ ଫିଲାନଥ୍ରୋପି କାର୍ଯ୍ୟ ପାଇଁ ସେ ୪୦୭ କୋଟି ଟଙ୍କା ଦାନ କରିଥିଲେ । କିନ୍ତୁ ଏହି ତାଲିକାରେ ସେ ୨ୟ ସ୍ଥାନରେ ଅଛନ୍ତି । ଅଟୋ ଏବଂ ଆର୍ଥିକ କ୍ଷେତ୍ରରେ କାରବାର କରୁଥିବା ବଜାଜ୍ ପରିବାର ୩ୟ ସ୍ଥାନରେ ଅଛନ୍ତି । ଗତ ବର୍ଷ ସେମାନେ ୩୫୨ କୋଟି ଟଙ୍କା ଦାନ କରିଥିଲେ । ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ବଜାଜ ପରିବାର ୩୩ ପ୍ରତିଶତ ଅଧିକ ରାଶି ଦାନ କରିଛନ୍ତି । କୁମାରମଙ୍ଗଲମ ବିର୍ଲା ଏବଂ ପରିବାର ଏହି ତାଲିକାରେ ୪ର୍ଥ ସ୍ଥାନରେ ରହିଛନ୍ତି । ସିଏସଆର କାର୍ଯ୍ୟ ପାଇଁ ସେମାନେ ୩୩୪ କୋଟି ଟଙ୍କା ଦାନ କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ କୁମାର ମଙ୍ଗଲମ ପରିବାର ୧୭ ପ୍ରତିଶତ ଅଧିକ ଦାନ କରିଛନ୍ତି । ସେହିପରି ପଞ୍ଚମ ସ୍ଥାନରେ ରହିଛନ୍ତି ଆଦାନୀ ଗ୍ରୁପର ମୁଖିଆ ଗୌତମ ଆଦାନୀ । ଗତ ବର୍ଷ ସିଏସଆର କାର୍ଯ୍ୟ ପାଇଁ ସେ ୩୩୦ କୋଟି ଟଙ୍କା ଦାନ କରିଥିଲେ । ଏହି ତାଲିକାରେ ଶୀର୍ଷରେ ରହିଛନ୍ତି ଏଚସିଏଲ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶିବ ନାଦର । ଗତ ବର୍ଷ ନାଡର ୨୧୫୩ କୋଟି ଟଙ୍କା ଦାନ କରିଥିଲେ ଯାହା ୨୦୨୨-୨୩ ତୁଳନାରେ ୫ ପ୍ରତିଶତ ବୃଦ୍ଧି ପାଇଛି । କ୍ରମାଗତ ୩ୟ ବର୍ଷ ପାଇଁ ନାଦର ଏହି ତାଲିକାରେ ଶୀର୍ଷରେ ଅଛନ୍ତି । କହିରଖୁଛୁ ଧନୀ ତାଲିକାରେ ମୁକେଶ ଅମ୍ବାନୀ ୧୦.୧୪ ଲକ୍ଷ କୋଟି ସମ୍ପତ୍ତି ସହ ଶୀର୍ଷରେ ରହିଥିବା ବେଳେ, ଗୌତମ ଆଦାନୀ ୧୧.୬ ଲକ୍ଷ କୋଟି ଟଙ୍କା ସହ ୨ୟ ଏବଂ ୩.୧୪ କୋଟି ଟଙ୍କା ସମ୍ପତ୍ତି ସହ ନାଦର ୩ୟ ସ୍ଥାନରେ ରହିଛନ୍ତି ।