ମିଳିଲାନି ଆମ୍ବୁଲାନ୍ସ, ଟ୍ରକ୍ ଅଟକାଇଲେ ବାପା…ଗୋଡ଼ାଇ ଗୋଡ଼ାଇ ବିଚ୍ ରାସ୍ତାରେ ପିଟିଲା ପୋଲିସ

ମୟୂରଭଞ୍ଜ: ବର୍ବରତାର ସୀମା ଟପିଲା ପୋଲିସ । ଅସହାୟ ବାପାର ଭାବାବେଗକୁ ନ ବୁଝି ଗୋଡ଼ାଇ ଗୋଡ଼ାଇ ବିଚ୍ ରାସ୍ତାରେ ପିଟିଲା । ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ପୋଲିସ ସାଜିଲା ହିଂସ୍ର । ଜଣେ ନିରୀହ ବାପା ନିଜ ଛୁଆର ନ୍ୟାୟ ପାଇଁ ପ୍ରତିବାଦ କରିବାରୁ ପୋଲିସଙ୍କ ଦୁର୍ବ୍ୟବହାରର ଶିକାର ହୋଇଥିଲେ । ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜର ୧୮ ନମ୍ବର ଜାତୀୟ ରାଜପଥରେ ।

ସୂଚନାରୁ ପ୍ରକାଶ କୁଳିଅଣା ଥାନା ଅନ୍ତର୍ଗତ ପାତିହିଞ୍ଜା ଗାଁର ଜଣେ ବ୍ୟକ୍ତି ତାଙ୍କ ତିନି ବର୍ଷର ଶିଶୁ କନ୍ୟାର ଦେହ ଅସୁସ୍ଥ ହେବାରୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ସେ ଝିଅକୁ କାନ୍ଧରେ ବସାଇ ତିନି କିଲୋମିଟର ଚାଲି ଚାଲି ଆସି ଜାତୀୟ ରାଜପଥ ଯାଏଁ ପହଞ୍ଚିଥିଲେ । ହେଲେ ଜାତୀୟ ରାଜପଥରେ ସେ ବିରକ୍ତ ହୋଇ ପ୍ରତିବାଦ କରିଥିଲେ ଏବଂ ରାସ୍ତାରେ ଯାଉଥିବା ଟ୍ରକ୍ ଅଟକାଇ ଏହାର ପ୍ରତିବାଦ କରିଥିଲେ । ଖବର ପାଇ କୁଳିଅଣା ଥାନା ପୋଲିସ ସେଠାରେ ପହଞ୍ଚି ସେହି ବ୍ୟକ୍ତିଙ୍କୁ ମାଡ଼ ମାରି ଉଠାଇ ନେଇଥିଲେ । କୁଳିଆଣା ଥାନାର ଦୁଇ କର୍ମଚାରୀ ନିଜର ହିତାହିତ ଜ୍ଞାନ ଭୁଲି ଯାଇ ଜଣେ ଅସହାୟ ବାପାକୁ ସହାୟତାର ହାତ ବଢ଼ାଇବା ବଦଳରେ ଗୋଡ଼ାଇ ଗୋଡ଼ାଇ ଲାଠି ସାହାଯ୍ୟରେ ନିଷ୍ଠୁରତାର ସହ ମାଡ଼ ମାରିଥିଲେ । ଏପରି ସମ୍ବେଦନଶୀଳ ଘଟଣାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁରୁତ୍ୱର ଦେଉ ନାହାନ୍ତି କାହିଁକି ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ତେବେ ଦେଖିବାକୁ ବାକି ରହିଲା ନିରୀହ ବାପାଙ୍କୁ ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କ ଉପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।