ନୂଆଦିଲ୍ଲୀ : ପୋଷ୍ଟ ଅଫିସ୍ ବା ଡାକଘର ନ୍ୟାସନାଲ ସେଭିଙ୍ଗ୍ସ ସ୍କିମ୍ (ଏନ୍ଏସ୍ଏସ୍) ଯୋଜନାର ହିତାଧିକାରୀଙ୍କ ପାଇଁ ଖରାପ ଖବର। ୧୯୮୭ରେ କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଏହି ଯୋଜନାର ହିତାଧିକାରୀଙ୍କୁ ଅକ୍ଟୋବର ମାସଠାରୁ ଆଉ ଜମା ରାଶି ଉପରେ ସୁଧ ମିଳିବ ନାହିଁ। ନୂଆ ନିୟମ ଅନୁଯାୟୀ ଚଳିତବର୍ଷ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଜମାକାରୀଙ୍କୁ ଏହି ଯୋଜନା ଉପରେ ସୁଧ ଅର୍ଥ ଦିଆଯାଇଛି।
ଏହାପରେ ଏହାକୁ ବନ୍ଦ କରାଯାଇଛି। ଏହି ଜମା ଯୋଜନାଟି ଦୀର୍ଘବର୍ଷ ହେବ ବନ୍ଦ ହୋଇଯାଇଥିବାରୁ ଏହାକୁ ଉପରେ କେନ୍ଦ୍ର ସରକାର ଆଉ ସୁଧ ଦେବାକୁ ଚାହଁନାହାଁନ୍ତି। ତେଣୁ ଅକ୍ଟୋବର ପହିଲାରୁ ସେ ସ୍କିମ୍ରେ ମିଳିୁଥିବା ସୁଧ ସୁବିଧାକୁ କେନ୍ଦ୍ର ସରକାର ହଟାଇ ଦେଇଛନ୍ତି। ଏହାବାଦ୍ ନ୍ୟାସନାଲ ସେଭିଙ୍ଗ୍ସ ସ୍କିମ୍ର ଜମାକାରୀ ଯଦି ସେହି ଆକାଉଣ୍ଟ ବନ୍ଦ କରିଦିଅନ୍ତି ତେବେ ଟଙ୍କା ଉଠାଇଲେ ଉଭୟ ମୂଳ ଓ ସୁଧ ଉପରେ ତାଙ୍କୁ ଟିକସ ଦେବାକୁ ପଡିବ। ଏଥିରେ ଜମାକାରୀ ୧୦ ପ୍ରତିଶତ ହାରରେ ଆୟକର ଗଣିବେ ବୋଲି ସରକାର ବ୍ୟବସ୍ଥା କରିଛନ୍ତି।
୧୯୮୭ରେ କେନ୍ଦ୍ର ସରକାର ଏନ୍ଏସ୍ଏସ୍ ସ୍କିମ୍ ଯୋଜନା ଆରମ୍ଭ କରିଥିଲେ। ଯେଉଁଥିରେ ଜଣେ ବ୍ୟକ୍ତି ବର୍ଷକୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବ । ଜମା ଉପରେ ବାର୍ଷିକ ୭.୫ ପ୍ରତିଶତ ହାରରେ ସୁଧ ବି ମିଳୁଥିଲା। ନୂଆ ନିୟମ ଅନୁଯାୟୀ ଚଳିତବର୍ଷ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ସୁଧ ରାଶି ଜମାକାରୀଙ୍କ ଖାତାରେ ଜମା ହୋଇଯାଇଛି। ହେଲେ ଅକ୍ଟୋବର ପହିଲାରୁ ଆଉ ସେ ସ୍କିମରେ ସୁଧ ସୁବିଧାକୁ ହଟାଇ ଦେଇଛି କେନ୍ଦ୍ର ଅର୍ଥମନ୍ତ୍ରାଳୟ। ୧୯୯୨ରେ କେନ୍ଦ୍ର ସରକାର ଏହି ଜମା ଯୋଜନାଟିକୁ ବନ୍ଦ କରିଦେଲେ ସିନା ପୂର୍ବରୁ ଅର୍ଥ ଜମା କରିଥିବା ଜମାକାରୀଙ୍କ ଆକାଉଣ୍ଟ ସଚଳ ରହିବା ସହ ସୁଧ ବି ମିଳିଆସୁଥିଲା।
ସେପଟେ ୨୪୦୦ ଟଙ୍କା ସୁଧ ଉପରେ କୌଣସି ଆୟକର ଦେବାକୁ ପଡ଼ୁ ନ ଥିଲା। ତାଠାରୁ ଅଧିକ ସୁଧ ଉପରେ ଡାକଘର ଟିଡିଏସ୍ କାଟୁଥିଲା। ଡାକ କର୍ତ୍ତୃପକ୍ଷଙ୍କ କହିବା କଥା ଯେ ଏହି ଜମା ଯୋଜନାଟିକୁ ଦୀର୍ଘବର୍ଷରୁ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି। ସେହି ଆକାଉଣ୍ଟଧାରୀଙ୍କୁ ଆଉ କୌଣସି ସୁଧ ଅର୍ଥ ଦେବାକୁ ଚାହୁଁନାହାନ୍ତି। ଫଳରେ ଧୀରେ ଧୀରେ ଜମାକାରୀ ଏହି ଆକାଉଣ୍ଟ ବନ୍ଦ କରି ଟଙ୍କା ଉଠାଇବାକୁ ବାଧ୍ୟ ହେବେ। ଏନ୍ଏସ୍ଏସ୍ ଜମାକାରୀଙ୍କୁ ଏଥିପାଇଁ ମୁଖ୍ୟ ଡାକଘରକୁ ଆସି ଟଙ୍କା ଉଠାଇବାକୁ ପଡ଼ିବ। ଏପରି ଜମାକାରୀ ଆସିବାମାତ୍ରେ ସେମାନଙ୍କ ଆକାଉଣ୍ଟ୍ ବନ୍ଦ କରିବାକୁ ପୋଷ୍ଟ ଅଫିସ ପକ୍ଷରୁ ପରାମର୍ଶ ଦିଆଯାଉଛି ।
ଅପରପକ୍ଷେ ନ୍ୟାସନାଲ ସେଭିଙ୍ଗ୍ସ ସ୍କିମ୍ର ଜମା ଟଙ୍କା ଉପରେ ଆୟକର ଗଣିବେ ହିତାଧିକାରୀ। ଅକ୍ଟୋବର ପହିଲାରୁ ଲାଗୁ କରାଯାଇଛି ଏହି ନୂଆ ନିମୟ। ଯଦିବା ମୂଳ ଉପରେ ପୂର୍ବରୁ କୌଣସି ଆୟକର ଦେବାକୁ ପଡ଼ୁ ନ ଥିଲା। କେନ୍ଦ୍ର ସରକାରଙ୍କ ଏପରି ନୀତିରେ ଜମାକାରୀ ବେଶ ଅସନ୍ତୁଷ୍ଟ। ଲୋକଙ୍କ କଷ୍ଟାର୍ଜିତ ଜମା ଅର୍ଥ ଉପରେ ଟିକସ ବସାଇବାକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ଏହାଦ୍ବାରା ପେନସନଭୋଗୀ ବରିଷ୍ଠ ନାଗରିକଙ୍କ ଭିତରେ ଘୋର ଅସନ୍ତୋଷ ପ୍ରକାଶ ପାଇବ। କାରଣ ଏହି ବର୍ଗର ଅଧିକାଂଶ ଲୋକେ ଡାକଘର ଯୋଜନାରେ ଅର୍ଥ ଜମା କରିଥାନ୍ତି।