ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ସିଏନଜି ଦର ମହଙ୍ଗା ହେବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଏ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ତେଣୁ ଆପଣମାନେ ଯଦି ସିଏନଜି ଚାଳିତ ଗାଡ଼ି ଚଳାଉଥାନ୍ତି, ଖୁବଶୀଘ୍ର ଆପଣଙ୍କ ପକେଟ ଖାଲି ହୋଇପାରେ । ଏକ ମାସର ଅବଧିରେ ଗ୍ୟାସ କମ୍ପାନୀଙ୍କୁ ଘରୋଇ ରିହାତିରୁ ମିଳୁଥିବା ଗ୍ୟାସର ସପ୍ଲାଇରେ ହ୍ରାସ କରିବା ହେଉଛି ଏହା ପଛର ବଡ଼ କାରଣ । ଏହା ପୂର୍ବରୁ କେନ୍ଦ୍ର ସରକାର ଅକ୍ଟୋବର ୧୬ ତାରିଖରେ ଏନେଇ କଟ୍ କରିଥିବା ବେଳେ ଏବେ ନଭେମ୍ବର ୧୬ରେୁ ପୁଣି ଥରେ କଟ୍ କରିବାକୁ ଯାଉଛନ୍ତି ।
ସରକାର ଘରୋଇ ଗ୍ୟାସ ଯୋଗାଣରେ ହ୍ରାସ କରିବାର ପ୍ରଭାବ କମ୍ପାନୀମାନଙ୍କର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବ । ସେମାନଙ୍କର ପ୍ରଫିଟ କମ୍ ହେବା ଫଳରେ ତା’ର ଭରଣା କରିବା ପାଇଁ ସେମାନେ ଗ୍ରାହକଙ୍କୁ ବାଧ୍ୟ କରିବେ । କମ୍ପାନୀମାନଙ୍କର ଲାଭ କମିଯିବ ବୋଲି ଦିଲ୍ଲୀ-ଏନସିଆରରେ ସିଏନଜି ଓ ପିଏନଜି ସପ୍ଲାଇ କରୁଥିବା ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ (ଆଇଜିଏଲ) ପକ୍ଷରୁ କୁହାଯାଇଛି । ଘରମାନଙ୍କରେ ସିଏନଜି ଓ ବାହନ ପାଇଁ ସିଏନଜି ସପ୍ଲାଇ କରୁଥିବା କମ୍ପାନୀଙ୍କ ଡୋମେଷ୍ଟିକ ସପ୍ଲାଇ କୋଟାରେ ଏବେ ୨୦ ପ୍ରତିଶତ କଟ୍ କରାଯାଇଛି । ଏହା ପୂର୍ବରୁ ଅକ୍ଟୋବର ୧୬ରେ ସେଥିରେ ୨୧ ପ୍ରତିଶତ କଟ୍ କରାଯାଇଥିଲା । ଘରୋଇ ସ୍ତରରେ ଉତ୍ପାଦିତ ହେଉଥିବା ଗ୍ୟାସର ସପ୍ଲାଇ ଗ୍ୟାସ କମ୍ପାନୀମାନଙ୍କୁ ଶସ୍ତା ପଡ଼ିଥାଏ । ଏହା ସେମାନଙ୍କର ମୋଟ ଖର୍ଚ୍ଚକୁ କମାଇବା ସହ ସେମାନେ କମ୍ ଦାମରେ ଲୋକଙ୍କୁ ସିଏନଜି ଓ ପିଏନଜି ଯୋଗାଣ କରିପାରିଥାନ୍ତି । ମାତ୍ର ଏହି କଟ୍ ନିଷ୍ପତ୍ତି ଫଳରେ କମ୍ପାନୀମାନଙ୍କୁ ଏବେ ବିଦେଶରୁ ଆମଦାନୀ କରାଯାଉଥିବା ଗ୍ୟାସ କିଣିବାକୁ ପଡ଼ିବ, ଯାହାକି ମହଙ୍ଗା ହୋଇଥାଏ ।