ଭୁବନେଶ୍ୱର: ୬ ଦିନିଆ ସିଙ୍ଗାପୁର ଗସ୍ତରେ ଶନିବାର ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଛନ୍ତି ସ୍ୱତନ୍ତ୍ର ପ୍ରତିନିଧି ମଣ୍ଡଳୀ । ଗସ୍ତ ପୂର୍ବରୁ ବିମାନ ବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋହନ କହିଛନ୍ତି, ଓଡ଼ିଶାକୁ ବିଦେଶରୁ ନିବେଶ ଆସିବ । ଓଡ଼ିଶା ବିଶ୍ୱ ନିବେଶକଙ୍କ ପ୍ରଥମ ପସନ୍ଦ ହେବ । ସିଙ୍ଗାପୁରରେ ବିଶ୍ୱର ବଡ଼ ବଡ଼ କମ୍ପାନୀ କାମ କରୁଛନ୍ତି । ଓଡ଼ିଶାର ପ୍ରାକୃତିକ ଏବଂ ମାନବ ସମ୍ବଳ ବିଷୟରେ ଆଲୋଚନା ହେବ । ବରିଷ୍ଠ ଶିଳ୍ପପତିଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ଓ ନିଯୁକ୍ତି ସୃଷ୍ଟି ପାଇଁ ନିମନ୍ତ୍ରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି।
ଏହି ପ୍ରତିନିଧି ଦଳ ଜୁରୋଙ୍ଗ ପେଟ୍ରୋକେମିକାଲ୍ସ ଅଞ୍ଚଳ, ତୁଆସ୍ ବନ୍ଦର ଏବଂ ITEES ସମେତ ସିଙ୍ଗାପୁରର ପ୍ରସିଦ୍ଧ ଶିଳ୍ପ ଏବଂ ଭିତ୍ତିଭୂମି ସୁବିଧା ପରିଦର୍ଶନ କରିବେ| ଏଥିସହ ସିଙ୍ଗାପୁରର ଉପମୁଖ୍ୟମନ୍ତ୍ରୀ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ଦୁଇ ପକ୍ଷ ପୁଞ୍ଜି ବିନିଯୋଗ ଏବଂ ବାଣିଜ୍ୟ ସୁଯୋଗ ସମ୍ପର୍କରେ ଆଲୋକପାତ କରିବେ । ଉତ୍କର୍ଷ ଓଡିଶା ୨୦୨୫ ସମ୍ମିଳନୀ ପୂର୍ବରୁ ପୁଞ୍ଜିପତିମାନଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।
ବିଶ୍ଵ ସ୍ତରୀୟ କମ୍ପାନୀ ପରିଦର୍ଶନ ସହିତ ସେଠାକାର ଉନ୍ନତ ବ୍ୟବସ୍ଥାକୁ ବୁଝି ଓଡ଼ିଶାରେ ମଧ୍ୟ ସେହିଭଳି ବା ଅଧିକ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ ବିଭିନ୍ନ ଦିଗକୁ ତର୍ଜମା କରିବେ । ସେହିପରି ସିଙ୍ଗାପୁର ଏବଂ ପଡୋଶୀ ଏସିଆନ ଦେଶରେ ଥିବା ପ୍ରବାସୀ ଓଡିଆ ଭାଇଭଉଣୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିବେ । ଗସ୍ତ ଯୋଗୁ ଟେକ୍ସଟାଇଲସ୍, କେମିକାଲ୍ସ, ଗ୍ରୀନ ଏନର୍ଜି, ଲଜିଷ୍ଟିକ୍, ସିପ୍
ବିଲ୍ଡିଙ୍ଗ ଓ ଇଲେକ୍ଟ୍ରୋନିକ୍ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ଆଶାୟୀ ଥିବା କହିଛନ୍ତି ।