ଓଡ଼ିଶାର ଥାନାକୁ ଶ୍ରେଷ୍ଠ ପୁରସ୍କାର: ପୁଣି ଥରେ ସାରା ଦେଶରେ ଚମକିଲା ଗଞ୍ଜାମ ଜିଲ୍ଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ଜାତୀୟ ସ୍ତରରେ ଚମକିଛି ଗଞ୍ଜାମ ଜିଲ୍ଲା । ପୂର୍ବରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ମିଳିଥିବା ବେଳେ ପୁଣି ମିଳିବାକୁ ଯାଉଛି ଆଉ ଏକ ପୁରସ୍କାର । ପୁଣି ଓଡ଼ିଶା ଜାତୀୟ ସ୍ତରରେ ନିଜର ଗୌରବକୁ ମହିମା ମଣ୍ଡିତ କରିବାକୁ ଯାଉଛି । ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ୨୦୨୪ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ମିିଳିବ ଶ୍ରେଷ୍ଠ ପୁରସ୍କାର । ଦେଶର ତିନୋଟି ସର୍ବୋତ୍ତମ ପୋଲିସ ଷ୍ଟେସନ ମଧ୍ୟରୁ ପାଟପୁରକୁ ଗୋଟିଏ ଭାବେ ମନୋନୀତ କରାଯାଇଛି । ଏହା ନିଶ୍ଚିତ ଭାବେ ଗଞ୍ଜାମ ଜିଲ୍ଲାବାସୀଙ୍କ ସମେତ ସାରା ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖବର ।

ସାରା ଦେଶର ଶ୍ରେଷ୍ଠ ଥାନାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ପୁରସ୍କୃତ କରାଯାଇଥାଏ । ଏହି ପୁରସ୍କାର ପାଇଁ କୌଣସି ଥାନାକୁ ମନୋନୀତ କରାଯିବା ପୂର୍ବରୁ ଉକ୍ତ ଥାନାର ଅପରାଧିକ ହାର, ମାମଲାର ଅନୁସନ୍ଧାନ, ମାମଲାର ରଫାଦଫା, ଜନସେବା ପରି ୧୫୦ରୁ ଅଧିକ ପାରାମିଟରକୁ ବିଚାରକୁ ନିଆଯାଇଥାଏ । ପାଖାପାଖି ୨୦ ପ୍ରତିଶତ ନାଗରିକଙ୍କ ଠାରୁ ଥାନା ବିଷୟରେ ମତାମତା ନିଆଯାଇଥାଏ । ପୋଲିସର ଗୁଣବତ୍ତାକୁ ଉନ୍ନତ କରିବା ସହ ଥାନାକୁ ବନ୍ଧୁତ୍ୱପୂର୍ଣ୍ଣ କରିବା ହେଉଛି ଏହି ମାନ୍ୟତା ପ୍ରଦାନ କରିବାର ମୁଖ୍ୟ ଉଦ୍ଦେଶ୍ୟ । ଆସନ୍ତା ୨୯ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ପୋଲିସ ଡିଜି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଟ୍ରଫି ପୋଲିସ ଷ୍ଟେସନର ଇନ୍ସପେକ୍ଟରଙ୍କୁ ପ୍ରଦାନ କରିବେ ।