ନୂଆଦିଲ୍ଲୀ: ମହାରାଷ୍ଟ୍ରର ବିଧାନସଭାର ୨୮୮ ଆସନ ପାଇଁ ଆସନ୍ତା ୨୦ ତାରିଖରେ ଭୋଟ ଗ୍ରହଣ କରାଯିବ । ଏହାପରେ ନଭେମ୍ବର ୨୩ରେ ଫଳାଫଳ ଘୋଷଣା କରାଯିବ । ଏଥିପାଇଁ ବିଜେପି, କଂଗ୍ରେସ ସମେତ ପ୍ରତ୍ୟେକ ରାଜନୈତିକ ଦଳମାନେ ନିଜର ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ତେବେ ସାଧାରଣ ଭାବେ କୌଣସି ରାଜ୍ୟରେ ନିର୍ବାଚନ ହେଲେ, ସେଥିପାଇଁ ଉକ୍ତ ଦିନକୁ ରାଜ୍ୟ ସରକାର ଛୁଟି ଭାବେ ଘୋଷଣା କରିଛନ୍ତି । ମାତ୍ର ଗୋଟିଏ ରାଜ୍ୟରେ ନିର୍ବାଚନ ହେଉଥିବା ଦିନରେ ଅନ୍ୟ ରାଜ୍ୟ ଯଦି ଛୁଟି ଘୋଷଣା କରନ୍ତି, ତେବେ ତାହା ଶୁଣିବାକୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ ।
ସୂଚନା ମୁତାବକ, ନଭେମ୍ବର ୨୦ରେ ମହାରାଷ୍ଟ୍ର ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଗୋଆ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ନଭେମ୍ବର ୨୦କୁ ଗୋଆ ସରକାର ଛୁଟି ଭାବେ ଘୋଷଣା କରିଛନ୍ତି । ପ୍ରକୃତ କଥା ହେଉଛି, ଗୋଆରେ ମହାରାଷ୍ଟ୍ରର ଅନେକ ଲୋକ ରହୁଥିବା ବେଳେ ସେମାନେ ମତଦାନ ପ୍ରକ୍ରିୟାରେ ଯେପରି ଅଂଶଗ୍ରହଣ କରିପାରିବେ ସେଥିପାଇଁ ଗୋଆ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ବହୁସଂଖ୍ୟକ ଲୋକ ଗୋଆରେ ରହୁଛନ୍ତି । ଗୋଆ ସରକାରଙ୍କ ଏହି ପଦକ୍ଷେପ ଫଳରେ ଏବେ ଗୋଆରେ ରହୁଥିବା ମହାରାଷ୍ଟ୍ରର ଅନେକ ଭୋଟର ନିଜ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ ।