BGT-2024 ପ୍ରଥମ ଟେଷ୍ଟରେ କାହାକୁ ବାଛିବେ ଅଧିନାୟକ ବୁମରାହ? ୩ ଖେଳାଳିଙ୍କ ଭିତରେ କଡ଼ା ଟକ୍କର

ନୂଆଦିଲ୍ଲୀ: ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି । ଏହି ସିରିଜ ପୂର୍ବରୁ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବ୍ୟାଟର ଶୁଭମନ ଗିଲ ଦଳରୁ ବାଦ୍ ପଡ଼ି ସାରିଛନ୍ତି । ତେଣୁ ରୋହିତଙ୍କ ଅନୁପସ୍ଥିତିରେ ଉପ-ଅଧିନାୟକ ଜଶପ୍ରୀତ ବୁମରାହ ଏହି ମ୍ୟାଚରେ ଦଳର ନେତୃତ୍ୱ ଗ୍ରହଣ କରିବେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଭାରତର ପ୍ଲେଇଙ୍ଗ-୧୧କୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି ଅଧିନାୟକ ଜଶପ୍ରୀତ ବୁମରାହ । ଏହି ମ୍ୟାଚ ପାଇଁ ୩ ଜଣ ଖେଳାଳିଙ୍କୁ ଡେବ୍ୟୁ କରିବାର ସୁଯୋଗ ରହିଛି । ତେଣୁ ବୁମରାହ ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ଦେବେ ବୋଲି ଆଶା କରାଯାଉଛି ।

ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଭାରତୀୟ ଟିମ୍ ଆହତ ସମସ୍ୟା ଦେଇ ଗତି କରୁଛି । ତେଣୁ ପ୍ରଥମ ମ୍ୟାଚରେ କିଛି ନୂଆ ଚେହେରା ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି । ତେବେ ଏହି ମ୍ୟାଚରେ ୩ ଜଣ ନୂଆ ଖେଳାଳି ସାମିଲ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଅତିି କମରେ ଜଣେ ଖେଳାଳି ପ୍ରଥମ ମ୍ୟାଚରେ ସୁଯୋଗ ପାଇବେ ବୋଲି ଆଶା ରହିଛି ।

ନୀତିଶ ରେଡ୍ଡୀ: ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିବା ପରେ ବର୍ତ୍ତମାନ ଭାରତୀୟ ଦଳରେ ସୁଯୋଗ ପାଇଛନ୍ତି ଷ୍ଟାର ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ । ଟି-୨୦ କ୍ରିକେଟରେ ମଧ୍ୟ ଭାରତ ପାଇଁ ସେ ଦମଦାର ପ୍ରଦର୍ଶନ କରିଥିଲେ । ଏହାପରେ କୋଚ୍ ଗୌତମ ଗମ୍ଭୀର ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ସୁଯୋଗ ଦେଇଛନ୍ତି । ପେସ୍ ବୋଲିଂ ଅଲରାଉଣ୍ଡର ହୋଇଥିବାରୁ ତାଙ୍କୁ ଦଳରେ ସୁଯୋଗ ମିଳିବାର ସମ୍ଭାବନା ରହିଛି ।

ଅଭିମନ୍ୟୁ ଈଶ୍ୱରନ୍: ଅଧିନାୟକ ରୋହିତ ଶର୍ମା ପ୍ରଥମ ମ୍ୟାଚରେ ଉପଲବ୍ଧ ନାହାନ୍ତି । ତେଣୁ ଭାରତ ପାଇଁ ଯଶସ୍ୱୀ ଜଏସ୍ୱାଲଙ୍କ ସହ ଜଣେ ଓପନରଙ୍କୁ ଖୋଜୁଛି ଟିମ ଇଣ୍ଡିଆ । ଏଥିପାଇଁ ଦଳରେ ଅଭିମନ୍ୟୁ ଈଶ୍ୱରନ ଜଣେ ଭଲ ବିକଳ୍ପ ହୋଇପାରନ୍ତି । ଫାଷ୍ଟ କ୍ଲାସ କ୍ରିକେଟରେ ଅଭିମନ୍ୟୁଙ୍କ ପ୍ରଦର୍ଶନ ବେଶ୍ ସୁନ୍ଦର ରହିଛି । ୯୯ଟି ମ୍ୟାଚରୁ ୨୭ଟି ଶତକ ସହ ସେ ମୋଟ ୭୬୭୯ ରନ୍ ସଂଗ୍ରହ କରିଛନ୍ତି । ତେଣୁ ତାଙ୍କୁ ଯଶସ୍ୱୀଙ୍କ ସହ ଓପନ୍ କରିବାର ସୁଯୋଗ ଦିଆ ଯାଇପାରେ ।

ହର୍ଷିତ ରାଣା: କୋଚ୍ ଗୌତମ ଗମ୍ଭୀରଙ୍କ ପସନ୍ଦର ଖେଳାଳି ହେଉଛନ୍ତି ହର୍ଷିତ ରାଣା । ଘରୋଇ କ୍ରିକେଟ ଏବଂ ଆଇପିଏଲରେ ତାଙ୍କର ବୋଲିଂ ବେଶ୍ ଦମଦାର ରହିଛି । ତେବେ ଦଳରେ ବର୍ତ୍ତମାନ ଶାମୀଙ୍କ ଅନୁପସ୍ଥିତି ତାଙ୍କ ପାଇଁ ବଡ଼ ସୁଯୋଗ ହୋଇପାରେ । ବୁମରାହ, ସିରାଜ ଏବଂ ଆକାଶଦୀପଙ୍କ ପରେ ହର୍ଷିତ ରାଣା ଭାରତ ପାଇଁ ଚତୁର୍ଥ ପେସ୍ ବୋଲିଂ ବିକଳ୍ପ ଭାବରେ ସ୍ଥାନ ପାଇପାରନ୍ତି ।