ଇମ୍ଫାଲ: ମଣିପୁରରେ କୁକି ଓ ମେଇତି ଜନଜାତି ଭିତରେ ଦେଖାଦେଇଥିବା ସଂଘର୍ଷର ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ଭାରି ପଡ଼ିଛି । କାରଣ ଏହି ଜାତିଗତ ବିବାଦକୁ ନେଇ ରାଜ୍ୟ ବିଧାୟକଙ୍କ ଭିତରେ ମତ ପାର୍ଥକ୍ୟ ଦେଖିବାକୁ ମିଳିଛି । କୁକି ଉଗ୍ରପନ୍ଥୀଙ୍କ ନିର୍ଯାତନା ବନ୍ଦ କରିବା ଏବଂ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଯେତେବେଳେ ମେଇତି ସମୁଦାୟ ରାସ୍ତାକୁ ଓହ୍ଲାଇ ସରକାର ବିରୋଧୀ ନାରା ଦେଉଛନ୍ତି , ସେ ସମୟରେ ସରକାରଙ୍କୁ ଗୋଳମାଳିଆ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ୁଛି । ନିକଟରେ ମଣିପୁର ହିଂସାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । କିନ୍ତୁ ସେଥିରେ ପାଖାପାଖି ୧୯ ଜଣ ବିଧାୟକ ଯୋଗ ଦେଇ ନ ଥିଲେ । ସୂଚନାଯୋଗ୍ୟ ବିଧକମାନଙ୍କ ଭିତରୁ କୁକି ଓ ମେଇତି ସମୁଦାୟ ଅନ୍ତର୍ଭୁକ୍ତ ଥିବା କାରଣରୁ ସେମାନେ ଉକ୍ତ ବୈଠକରେ ସାମିଲ ହୋଇ ନାହାନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ୧୧ ବିଧାୟକଙ୍କ ନିକଟକୁ ନୋଟିସ ପଠାଇଥିବା ମଧ୍ୟ କୁହାଯାଉଛି ।
ଜିରିବାମରେ ମେଇତି ଜନଜାତିର ୬ ଜଣଙ୍କୁ ହତ୍ୟା କରିବା ପରେ କୁକି ଉଗ୍ରପନ୍ଥୀଙ୍କ ଅତ୍ୟାଚାର ବଢ଼ିବାରେ ଲାଗିଛି । ଏ ନେଇ ସରକାରଙ୍କ ପକ୍ଷରୁ ଜିରିବାନଠାରେ ଏକ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି । ଉଗ୍ରପନ୍ଥୀଙ୍କ ବିରୋଧରେ ରାଜ୍ୟସରକାର ଉଚିତ୍ ମୁକାବିଲା କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ୬୦ ବିଧାନସଭା ଆସନ ବିଶିଷ୍ଟ ମଣିପୁରରେ ଏନଡିଏକୁ ୫୩ ବିଧାୟକଙ୍କ ସମର୍ଥନ ରହିଛି । ସେମାନଙ୍କ ମଧ୍ୟରୁ ୭ ଜଣ କୁକି ସମ୍ପ୍ରଦାୟର ହୋଇଥିବା କୁହାଯାଉଛି । ଏମାନଙ୍କ ସମେତ ଆହୁରି ୧୨ ଜଣ ବିଧାୟକ ମଧ୍ୟ ବୈଠକରେଅନୁପସ୍ଥିତ ରହିଥିଲେ । ଏ ପ୍ରକାର ସ୍ଥିତିକୁ ଦେଖିଲେ ଜଣାପଡ଼ୁଛି ଯେ, ରାଜ୍ୟ ଏନଡିଏ ସରକାରରେ ଫାଟ ସୃଷ୍ଟି ହେବା ସହ ସରକାରଙ୍କ ସ୍ଥିତି ଟଳମଳିଆ ସ୍ଥିତିରେ ରହିଛି ।