(Video) ଏମିତି ବି ଆସେ ମୃତ୍ୟୁ.. ପାଣି ପିଇବା ବେଳେ ବନ କର୍ମଚାରୀଙ୍କୁ ଆସିଲା ହାର୍ଟ ଆଟାକ, ମଝି ସମୁଦ୍ରରେ ଟଳି ପଡିଲେ
ଭୁବନେଶ୍ବର: ମୃତ୍ୟୁ କେତେବେଳେ ଆସିବ ତାହା କେହି କହି ପାରିବେ ନାହିଁ । କ୍ଷଣିକ ମଧ୍ୟରେ ଚାଲିଯାଇଥାଏ ଜୀବନ । ଏପରି ଅନୁରୂପ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ । ପାଟ୍ରୋଲିଂ ସମୟରେ ମଝି ସମୁଦ୍ରରେ ବନ କର୍ମଚାରୀଙ୍କୁ ହାର୍ଟ ଆଟାକ୍ ଆସିଛି । ସେ ମଝି ସମୁଦ୍ରରେ ହିଁ ଟଳି ପଡିଥିବା ଖବର ସାମ୍ନାକୁ ଆସିଛି । ମୃତ ବନ କର୍ମଚାରୀ ହେଲେ ଚଞ୍ଚଳ ମାଇତି ।
ସୂଚନା ଅନୁସାରେ, କେନ୍ଦ୍ରାପଡା ରାଜନଗର ବ୍ଲକ ବନ ବିଭାଗର ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ ଚାଲିଥିଲା । | ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର 13 କିଲୋମିଟର ସମୁଦ୍ର ମଝିରେ ବେଆଇନ ଭାବେ ମାଛ ମାରୁଥିବା ନାଗେଶ୍ୱର ନାମକ ଟ୍ରଲରକୁ ଜବତ କରାଯିବା ଶହ ସେଥିରେ ଥିବା ମସ୍ୟଜୀବୀଙ୍କୁ ବନବିଭାଗ ଧରିଥିଲା । ରାତି ପ୍ରାୟ 12ଟା ସମୟରେ ଏହି ବୋଟ ଧରାଯାଇଥିଲା । ଏହି ସମୟରେ ବନବିଭାଗର ଅଲଭିୟା ଟ୍ରଲରର ଡ୍ରାଇଭର ଚଞ୍ଚଳ ମାଇତି ଶୋଷ ଲାଗିବାରୁ ପାଣି ପିଇଥିଲେ । ପାଣି ପିଇବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରି ଟଳି ପଡ଼ିଥିଲେ । ତେବେ ତାଙ୍କ ସହ ରହିଥିବା ବନ କର୍ମଚାରୀ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଭୋର ସମୟରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।