ମଦୁଆ ମାଷ୍ଟରଙ୍କୁ ଗିରଫ କରିବା ପାଇଁ ଆସିଥିଲେ ମଦୁଆ ପୋଲିସ, ଘେରିଗଲେ ଗାଁ ଲୋକେ ଛାନିଆ ହୋଇ ପଳେଇଲେ ପୋଲିସ ବାବୁ

ପାଟନା: ବିହାର ନାଳନ୍ଦାରୁ ଏକ ଆଶ୍ଚର୍ୟ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ମଦ ପିଇ ପିଲାଙ୍କୁ ପାଠ ପଢ଼େଇବାକୁ ଆସିଥିବା ଶିକ୍ଷକଙ୍କୁ ବାନ୍ଧିଛି ପୋଲିସ । କିଛିଦିନ ର୍ପୂବର ଏ ଘଟଣା, ସ୍କୁଲର ହେଡ୍ ମାଷ୍ଟର ନଗେନ୍ଦ୍ର ପ୍ରସାଦ ଏବଂ ସେହି ସ୍କୁଲର ଆଉଜଣେ କଣ୍ଟ୍ରାକଚୁଆଲ ଶିକ୍ଷକ ସୁବୋଧ କୁମାର ପ୍ରତିଦିନ ମଦ ପିଇ ସ୍କୁଲ ଆସୁଥିଲେ । ଗାଁ ଲୋକେ ଏହାର ପ୍ରତିବାଦ କରିବାରୁ ସେମାନେ ଖରାପ ଭାଷାରେ ସେମାନଙ୍କୁ ଗାଳି ମଧ୍ୟ କରୁଥିଲେ । ଚଳିତ ସପ୍ତାହରେ ଦୁଇ ଶିକ୍ଷକ ମଦ ପିଇ ସ୍କୁଲ ଆସିଥିବାବେଳେ ଗାଁ ଲୋକେ ପୋଲିସକୁ ଏହାର ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଗିରଫ କରିନେଇଛି ।

ସେମାନଙ୍କୁ ଗିରଫ କରିବା ପାଇଁ ଆସିଥିବା ଥାନା ଅଧିକାରୀଙ୍କ ଭିତରେ ଜଣେ କର୍ମଚାରୀ ମଦ ପିଇକରି ଆସିଥିଲେ । ଯାହାକୁ ଦେଖି ଗାଁ ଲୋକେ ଏହାର ପ୍ରତିବାଦ କରିଥିଲେ । ସେଠାରେ ଥିବା ଅନ୍ୟ ଅଧିକାରୀମାନେ ମଦ ପିଇଥିବା ପୋଲିସ ବାବୁଙ୍କୁ ସଙ୍ଗେ ସଙ୍ଗେ ଥାନା ପଠେଇ ଦେଇଥିଲେ । ଏହାପରେ ସମ୍ପୃକ୍ତ ଶିକ୍ଷକ ନଗେନ୍ଦ୍ର ଏବଂ ସୁବୋଧଙ୍କୁ ପୋଲିସ ବାନ୍ଧି ନେଇଥିଲା । ସୂଚନା ଯୋଗ୍ୟ ଦୁଇଜଣଙ୍କୁ ସସ୍ପେଣ୍ଡ କରାଯାଇଥିବାବେଳେ ବିଭାଗ ତରଫରୁ ଯାଞ୍ଚ ନିଦେ୍ର୍ଦଶ ଦିଆଯାଇଛି ।

୨୦୧୬ରୁ ବିହାରରେ ମଦ ବନ୍ଦ କରିଛନ୍ତି ସରକାର । କିନ୍ତୁ ଏହା କେବଳ କଥାରେ ହିଁ ରହିଛି । କାରଣ ଏବେ ବି ବିହାରର ଅନେକ ସ୍ଥାନରେ ମଦ ବିକ୍ରି ଚାଲିଛି । ଅନେକ ସମୟରେ ବିଷାକ୍ତ ମଦ ପିଇ ବହୁ ଲୋକ ପ୍ରାଣ ହରାଉଥିବାର ଖବର ଆସୁଛି ତ ଆଉ କେତେବେଳେ ସୁବୋଧଙ୍କ ପରି ଲୋକ ମଦ ପିଇ ମାତାଲ ହୋଇ ବୁଲୁଛନ୍ତି ।