ଓଡ଼ିଶା ଭାସ୍କର: ଶୀତ ଦିନ ଆସିଲେ ବିଶେଷ କରି ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଉଚିତ । ସେମାନଙ୍କ ରୋଗ ପ୍ରତିରୋଧକ କ୍ଷମତା କମ୍ ଥିବାରୁ ମାନେ ସହଜରେ ଥଣ୍ଡା, ସର୍ଦ୍ଦି, ଜ୍ୱରର ଶିକାର ହୋଇଥାନ୍ତି । ବିଶେଷ କରି ଶୀତ ଦିନେ ଛୋଟ ପିଲାଙ୍କୁ ଗାଧୋଇବା ସମୟରେ ଅବହେଳା କଲେ ସେମାନଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯିବାର ସମ୍ଭାବନା ଅଧିକ ରହିଛି । ଶୀତ ଦିନେ ଛୋଟ ପିଲାଙ୍କୁ ପ୍ରତିଦିନ ଗାଧୋଇବା ଉଚିତ ନୁହେଁ । ସପ୍ତାହରେ ଅତି ବେଶିରେ ୩ ଥର ଛୋଟ ପିଲାଙ୍କୁ ସ୍ନାନ କରାନ୍ତୁ । ତେବେ ଆସନ୍ତୁ ଜାଣିବା ଛୋଟ ପିଲାଙ୍କୁ ଗାଧୋଇବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।
୧. ପାଣିର ତାପମାତ୍ରା: ଛୋଟ ପିଲାଙ୍କୁ ସ୍ନାନ କରାଇବା ପାଇଁ ନଖ ଉଷୁମ ପାଣି ବ୍ୟବହାର କରନ୍ତୁ । ଅଧିକ ଗରମ ପାଣି ହେଲେ ତାଙ୍କ ତ୍ୱଚା ଜଳିଯିବାର ସମ୍ଭାବନା ରହିଛି । ଅଧିକ ଥଣ୍ଡା ହେଲେ ପିଲାଙ୍କୁ ଥଣ୍ଡା କିମ୍ବା ସର୍ଦ୍ଦି ହୋଇପାରେ ।
୨. ତେଲ ମାଲିସ: ଛୋଟ ପିଲାଙ୍କ ରୋଗପ୍ରତିରୋଧକ ଶକ୍ତି ବହୁତ ଦୁର୍ବଳ ଥାଏ । ତେଣୁ ସେମାନଙ୍କୁ ଗାଧୋଇବାର ୧୫-୨୦ ମିିନିଟ୍ ପୂର୍ବରୁ ସୋରିଷ, ନଡ଼ିଆ କିମ୍ବା ଅନ୍ୟ ତେଲରେ ଭଲଭାବରେ ମାଲିସ କରିବା ଉତ୍ତମ ଅଟେ । ଏହା ବ୍ୟତୀତ ସ୍ନାନ ଜଳରେ କିଛି ବୁନ୍ଦା ତେଲ ମଧ୍ୟ ମିଶାଇପାରିବେ ।
୩. ସାବୁନ ଲଗାଇବା: ମନେରଖନ୍ତୁ ପ୍ରଥମେ ନିଜ ହାତରେ ସାବୁନ ଲଗାଇ ପିଲାଙ୍କୁ ସ୍ନାନ କରାନ୍ତୁ । ସେମାନଙ୍କ ତ୍ୱଚାରେ ଡାଇରେକ୍ଟ ସାବୁନ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ ।
୪. ଟବରେ ପାଣିର ସ୍ତର: ପିଲାଙ୍କ ଗାଧୁଆ ଟବରେ ସବୁବେଳେ ତାଙ୍କ ଛାତି ସମାନ ପାଣି ରଖିବା ଉଚିତ । ଫଳରେ ପିଲାକୁ ଖେଳିବା ପାଇଁ ସହଜ ହୋଇଥାଏ । ଅଧିକ ସମୟ ପର୍ଯ୍ୟନ୍ତ ପିଲାଙ୍କୁ ପାଣିରେ ରଖନ୍ତୁ ନାହିଁ । ସ୍ନାନ ଶେଷ ହେଲେ କୌଣସି କୋମଳ ତଉଲିଆ କିମ୍ବା ଗାମୁଛାରେ ପୋଛି ଦିଅନ୍ତୁ ଓ ପୋଷାକ ପିନ୍ଧାନ୍ତୁ ।
୫. ପିଲାଙ୍କୁ ଉଷୁମ ରଖନ୍ତୁ: ଛୋଟ ପିଲାଙ୍କୁ ସ୍ନାନ କରାଇବା ପରେ ଅଳ୍ପ ସମୟ ପାଇଁ ଖରା କିମ୍ବା ହିଟରର ଉଷୁମ କକ୍ଷରେ ରଖନ୍ତୁ । ଏହା ବ୍ୟତୀତ ଶୁଖିଲା ତଉଲିଆରେ କିଛି ସମୟ ପର୍ଯ୍ୟନ୍ତ ଘୋଡ଼ାଇ ରଖନ୍ତୁ । ଏହା ସେମାନଙ୍କୁ ଥଣ୍ଡାରୁ ରକ୍ଷା କରିଥାଏ ।