ହୃଦୟ ଦୋହଲିଲା ଭଳି ହତ୍ୟା: ‘ଲିଭ୍ ଇନ୍ ପାର୍ଟନର’ଙ୍କୁ ୪୦ ଖଣ୍ଡରେ କାଟିଲା ପ୍ରେମିକ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାର ଏକ ଲୋମ ଟାଙ୍କୁରୀଲା ଭଳି ମାମଲା ସାମ୍ନାକୁ ଆସିଛି । ଏଠାରେ କଂସେଇ କାମ କରୁଥିବା ଜଣେ ଯୁବକ ନିଜ ଲିଭ୍ ଇନ୍ ପାର୍ଟନରର ହତ୍ୟା କରି, ମୃତଦେହକୁ ୪୦ରୁ ୫୦ ଖଣ୍ଡ କରି ଫୋପାଡି ଦେଇଛି । ଏହି ହତ୍ୟାର ଖୁଲାସା ସେତେବେଳେ ହେଲା, ଯେତେବେଳେ ପୋଲିସ ଏକ କୁକୁର ପାଖରୁ ମଣିଷ ଶରୀରର ଅଙ୍ଗ ପାଇଥିଲା । ପୋଲିସ ବୁଧବାର ଦିନ ଏହି ହତ୍ୟାକାଣ୍ଡ ବିଷୟରେ ସୂଚନା ଦେଇଛି । ଏଥିସହ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି ।

ପୋଲିସ ମୁତାବକ ଖୁଣ୍ଟି ଜିଲ୍ଲାର ୨୫ ବର୍ଷୀୟ ଯୁବକ ନରେଶ ଭେଙ୍ଗରା ନିଜ ସହରର ହିଁ ଜଣେ ୨୪ ବର୍ଷୀୟ ଯୁବତୀଙ୍କ ସହ କିଛି ସମୟରୁ ତାମିଲନାଡ଼ୁରେ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ । କିଛି ସମୟ ପୂର୍ବରୁ ସେ ଘରକୁ ଆସିଥିଲେ ଏବଂ ଅନ୍ୟ ଝିଅକୁ ବିବାହ ମଧ୍ୟ କରିଥିଲେ । ଏହାପରେ ସେ ସ୍ତ୍ରୀକୁ ନ ନେଇ ତାମିଲନାଡ଼ୁ ଚାଲିଯାଇଥିଲେ । ଏହାର କିଛି ସମୟ ପରେ ଯୁବକ-ଯୁବତୀ ଖୁଣ୍ଟି ଜିଲ୍ଲାକୁ ଫେରିଥିଲେ, ହେଲେ ସେହି ଯୁବତୀଙ୍କୁ ସେ ଘରକୁ ନ ନେବାକୁ ଚାହୁଥିଲେ । ଏହି ସମୟରେ ଅର୍ଥାତ ୮ ନଭେମ୍ବରରେ ଏହି ଯୁବତୀଙ୍କର ଜଘନ୍ୟ ହତ୍ୟା ହୋଇଥିଲା ।

ପୋଲିସ କହିବାନୁଯାୟୀ, ଏହି ଯୁବକ ତାଙ୍କ ଲିଭ ଇନ ପାର୍ଟନରଙ୍କୁ କିଛି ନ ଜଣାଇ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିଥିଲେ । ନରେଶ ପୁଣି ତାମିଲନାଡୁ ଫେରି ସେହି ଯୁବତୀଙ୍କୁ ନିଜ ଗାଁ ଖୁଣ୍ଟିକୁ ଆଣିଥିଲେ । ସେହିଠାରେ ସେ ଯୁବତୀଙ୍କୁ ଅପେକ୍ଷା କରିବାକୁ କହିଥିଲେ, ଏହାପରେ ଏକ ଧାରୁଆ ଅସ୍ତ୍ର ନେଇ ତାଙ୍କ ପାଖକୁ ଯାଇଥିଲେ । ଏହାପରେ ସେହି ଯୁବତୀଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିଲେ । ଏହାପରେ ସେହି ଶବକୁ ୪୦ ଖଣ୍ଡରେ କାଟି ଫୋପାଡିଦେଇଥିଲେ । ଏହାପରେ ସେ ଘରକୁ ଆସି ସ୍ତ୍ରୀ ସହ ରହିଥିଲେ ।