‘ମୁଁ ବିଷ୍ଣୋଇଙ୍କୁ କଲ୍ କରିବି କି…’, ସଲମାନଙ୍କ ସୁଟିଂ ସେଟରେ ସନ୍ଦିଗ୍ଧ ବ୍ୟକ୍ତି, କାବୁ କଲା ପୋଲିସ

ମୁମ୍ବାଇ: ବଲିଉଡ଼ ତାରକା ସଲମାନ ଖାନଙ୍କୁ କ୍ରମାଗତ ମିଳୁଥିବା ମୃତ୍ୟୁ ଧମକ ମଧ୍ୟରେ ତାଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି । ମୁମ୍ବାଇରେ ସଲମାନ ଖାନଙ୍କ ସୁଟିଂ ସେଟରେ ଜଣେ ଅଜ୍ଞାତ ବ୍ୟକ୍ତି ଜବରଦସ୍ତି ପ୍ରବେଶ କରି ସମସ୍ତଙ୍କୁ ଧମକ ଦେବାକୁ ଚେଷ୍ଟା କରିଥିଲେ । ଯେତେବେଳେ ସେହି ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରାଯାଇଥିଲା, ସେତେବେଳେ ସେ ସଲମାନ ଖାନଙ୍କ ଶତ୍ରୁ ପାଲଟିଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନାମ ନେଇ ସମସ୍ତଙ୍କୁ ଧମକ ଦେଇଥିଲେ । ତେବେ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଧରିଥିଲା ​​ଏବଂ ତାଙ୍କୁ ଶିବାଜୀ ପାର୍କ ପୋଲିସ ଷ୍ଟେସନରେ ପଚରାଉଚରା କରାଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁମ୍ବାଇର ଜୋନ୍ -୫ର ଦାଦର ଅଞ୍ଚଳରେ ସଲମାନ ଖାନଙ୍କ ଏକ ଫିଲ୍ମର ସୁଟିଂ ଚାଲିଛି । ବୁଧବାର ବିଳମ୍ବିତ ରାତିରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଜବରଦସ୍ତି ଫିଲ୍ମ ସୁଟିଂ ସେଟରେ ପ୍ରବେଶ କରିଥିଲେ । ସଲମାନ ଖାନ ସେଟକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ଯେତେବେଳେ ସେହି ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରାଯାଇଥିଲା, ସେ ସମସ୍ତଙ୍କୁ ଧମକ ଦେବା ଆରମ୍ଭ କରିଥିଲେ | ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ଗିରଫ କରିଥିଲା । କହିରଖୁଛୁ ଅକ୍ଟୋବର ୧୨, ୨୦୨୪ରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ସଲମାନ୍ ଖାନଙ୍କୁ ମିଳୁଥିବା ଧମକ ମାମଲା ଆହୁରୀ ସଂଗୀନ ହେବାରେ ଲାଗିଛି ।

ଏହା ପୂର୍ବରୁ ମଧ୍ୟ ସଲମାନଙ୍କ ସୁରକ୍ଷାକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି କିନ୍ତୁ ସାମ୍ପ୍ରତିକ ଘଟଣା ଏହାର ତତ୍ପରତା ବୃଦ୍ଧି କରିଛି । ୨୦୨୪ ଏପ୍ରିଲ ୧୪ରେ କିଛି ଅଜଣା ବ୍ୟକ୍ତି ସଲମାନଙ୍କ ବାସଭବନ, ବାନ୍ଦ୍ରା ସ୍ଥିତି ଗାଲାକ୍ସି ଆପାର୍ଟମେଣ୍ଟ, ଉପରେ ଗୁଳିଚାଳନା କରିଥିଲେ । ଏନେଇ ଶହରକୁ ହାଇ ଆଲର୍ଟ ମୋଡରେ ରଖାଯାଇଥିଲା । ଏହା ବାଦ୍ ବିଷ୍ଣୋଇ ଗ୍ୟାଙ୍ଗ୍ ଅନେକ ବଲିଉଡ୍ ସେଲିବ୍ରିଟିଙ୍କୁ ଧମକପୂର୍ଣ୍ଣ କଲ୍ କରିଥିବା ଜଣାପଡ଼ିଛି । ପୋଲିସ ପକ୍ଷରୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ସଲମାନଙ୍କ ସୁଟିଂ ସେଟରେ ଜବରଦସ୍ତି ପଶିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଲରେନ୍ସ ଗ୍ୟାଙ୍ଗ ସହ ସିଧାସଳଖ ଭାବେ ସମ୍ପୃକ୍ତ ନା ସେ କେବଳ ମିଛରେ ଏହା କହିଥିଲେ ବୋଲି ପୋଲିସ ଅଧିକ ପଚରାଉଚରା ଜାରି ରଖିଛି ।