ସାବଧାନ୍! QR Code ସ୍କାନ୍ କଲେ ଖାଲି ହୋଇଯାଉଛି ବ୍ୟାଙ୍କ ଆକାଉଣ୍ଟ: ମାର୍କେଟରେ ନୂଆ ସ୍କାମ୍ ଆରମ୍ଭ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସବୁଆଡ଼େ ପେମେଣ୍ଟ କରିବା ଖୁବ ସହଜ ହୋଇଯାଇଛି । ଅନଲାଇନ ଜରିଆରେ କେବଳ QR Code ସ୍କାନ କରି ପେମେଣ୍ଟ କରିପାରିବେ ୟୁଜର । ବର୍ତ୍ତମାନ ସମୟରେ ଡିଜିଟାଲ ପେମେଣ୍ଟ ଏବଂ ଅନଲାଇନ୍ ସପିଙ୍ଗ କରିବା ଯେତିକି ସହଜ ହୋଇଛି, ସ୍କାମ ଏବଂ ଠକାମୀର ମାମଲା ମଧ୍ୟ ସେତିକି ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ମାର୍କେଟରେ ଏକ ନୂଆ ସ୍କାମ୍ ଆରମ୍ଭ ହୋଇଛି । QR Code ସ୍କାନ କରିବା ୟୁଜରଙ୍କ ପାଇଁ ସାଜିଛି କାଳ । ଏହାଦ୍ୱାରା ସେମାନଙ୍କ ବ୍ୟାଙ୍କ ଆକାଉର୍ଟ ମଧ୍ୟ ଖାଲି ହୋଇ ଯାଉଥିବା ଖବର ସାମନାକୁ ଆସିଛି ।

QR ସ୍କ୍ରାଚ୍ କାର୍ଡ ସ୍କାମ୍ ମାମଲା ଏବେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ଗିଫ୍ଟ, କୁପନ କିମ୍ବା ଡିସ୍କାଉଣ୍ଟ ଲୋଭରେ ୟୁଜର QR Code ସ୍କାନ୍ କରିଥାନ୍ତି । ଏହାଦ୍ୱାରା ସ୍କାମର୍ସଙ୍କ ମାନଙ୍କ ପାଖକୁ ଆପେ ଆପେ ୟୁଜରଙ୍କ ସମସ୍ତ ତଥ୍ୟ ପହଞ୍ଚି ଯାଇଥାଏ । ଏହି ଉପାୟରେ ସାଧାରଣ ଜନତାଙ୍କ ଠକିବା ଖୁବ ସହଜ ହୋଇଯାଏ । ତେବେ କିଛିଟା ଜିନିଷ ଉପରେ ଧ୍ୟାନ ଦେଲେ ଆପଣ ଏହି ସମସ୍ୟାରୁ ନିଜକୁ ରକ୍ଷା କରିପାରିବେ ।

କିପରି ହୁଏ QR Code  Scam?

ୟୁଜର୍ସଙ୍କୁ ପ୍ରଥମେ ଏକ ଇ-ମେଲ୍ ବା ମେସେଜ ମିଳିଥାଏ । ଏଥିରେ ସେମାନଙ୍କୁ କିଛି ରିୱାର୍ଡ ଦିଆ ଯାଉଥିବା କୁହାଯାଇଥାଏ । ଏହାବ୍ୟତୀତ ଅନେକ ସମୟରେ କଲ୍ କରି ସ୍କାମର୍ସ ଆମାଜନ୍ ଏବଂ ଫ୍ଲିପକାର୍ଟ ଭଳି ଅନଲାଇନ୍ ଇ-କମର୍ସ ପ୍ଲାଟଫର୍ମର କର୍ମଚାରୀ ବୋଲି ପରିଚୟ ଦେଇଥାନ୍ତି । ତେବେ କମ୍ପାନୀ ତରଫରୁ ସ୍ପେସାଲ ଡିସ୍କାଉଣ୍ଟ, କୁପନ୍ କୋଡ କିମ୍ବା ଡିସ୍କାଉଣ୍ଟ ଅଫର କରୁଛି ବୋଲି କହି ଆଳ ଦେଖାଇଥାନ୍ତି ସ୍କାମର୍ସ । ଏହି ରିୱାର୍ଡ ବା ଡିସ୍କାଉଣ୍ଟର ଫାଇଦା ଉଠାଇବା ପାଇଁ ୟୁଜରଙ୍କୁ QR Code ସ୍କାନ କରିବାକୁ କୁହାଯାଏ ।

ତେବେ QR Code ସ୍କାନ୍ କରିବା ପରେ ୟୁଜର ଏକ ଫେକ୍ ୱେବସାଇଟରେ ପହଞ୍ଚି ଯାଆନ୍ତି । ଏଥିରେ ବିଭିନ୍ନ ପ୍ରକାରର ବ୍ୟକ୍ତିଗତ ତଥା ସମ୍ବେଦନଶୀଳ ତଥ୍ୟ ଦେବାକୁ କୁହାଯାଇଥାଏ । ବ୍ୟାଙ୍କ କାର୍ଡ ନମ୍ବର ବା ଆକାଉଣ୍ଟ ସହ ସମ୍ବନ୍ଧିତ ତଥ୍ୟ ଜରିଆରେ ସ୍କାମର୍ସ କୁବ ସହଜରେ ବ୍ୟାଙ୍କ ଆକାଉଣ୍ଟ ଉପରେ ଆଟାକ୍ କରିପାରିବେ । କେହି କିଛି ଜାଣିବା ପୂର୍ବରୁ ବ୍ୟାଙ୍କ ଆକାଉଣ୍ଟ ଖାଲି କରି ଦେଇପାରନ୍ତି ସାଇବର ଠକ ।

ତେଣୁ କୌଣସି ଅଜଣା ସୋର୍ସରୁ ଇ-ମେଲ୍, ମେସେଜ କିମ୍ବା କଲ୍ ଉପରେ ଭରସା କରନ୍ତୁ ନାହିଁ । ଏହାବ୍ୟତୀତ କେବଳ ଅଫିସିଆଲ ସୂତ୍ରରୁ ମିଳୁଥିବା ରିୱାର୍ଡକୁ ପାଇବା ପାଇଁ ଅନ୍ୟ କୌଣସି ଷ୍ଟ୍ରେପ୍ସ ଫଲୋ କରନ୍ତୁ ନାହିଁ । ସେହିପରି ନିଜ ବ୍ୟକ୍ତିଗତ ତଥ୍ୟ ସେୟାର କରନ୍ତୁ ନାହିଁ । ଏହାର ଭୁଲ ଏବଂ ଅନୁଚିତ ବ୍ୟବହାର ମଧ୍ୟ ହୋଇପାରେ ।