ବିନା ଲିଖିତ ପରୀକ୍ଷାରେ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେତେ ମିଳିବ ଦରମା ?

ନୂଆଦିଲ୍ଲୀ: ଶିକ୍ଷକତାରେ ନିଜ କ୍ୟାରିୟର ଗଢ଼ିବାକୁ ଚାହୁଁଥିଲେ ଏହି ଖବର ଆପଣଙ୍କ ପାଇଁ । ଦିଲ୍ଲୀ ବିଶ୍ୱବିଦ୍ୟାଳୟ(DU)ର ଆର୍ଯ୍ୟଭଟ୍ଟ କଲେଜ ଏହାର ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବଦନ ଆହ୍ୱାନ କରିଛି । ଉପରୋକ୍ତ ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ aryabhattacollege.ac.inକୁ ଯାଇ ଆବେଦନ କରିପାରିବେ । ଡିସେମ୍ବର ୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୨୭ ହେଉଛି ଆବେଦନ କରିବାର ଶେଷ ତାରିଖ ।

ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ଚୟନ ପ୍ରକ୍ରିୟା

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆର୍ଯ୍ୟଭଟ୍ଟ କଲେଜରେ ଆସିିଷ୍ଟାଣ୍ଟ ପ୍ରଫେସର ପାଇଁ ମୋଟ୍ ୨୮ଟି ରିକ୍ତ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି । ବିଜନେସ୍ ଇକୋନୋମିକ୍ସ, ମ୍ୟାନେଜମେଣ୍ଟ ଷ୍ଟଡିଜ୍‌, ଇତିହାସ, ପଲିଟିକାଲ ସାଇନ୍ସ, ଇଂରାଜୀ, ବାଣିଜ୍ୟ, ଇକୋନୋମିକ୍ସ, ଏନଭାଏରନମେଣ୍ଟାଲ ଷ୍ଟଡିଜ୍‌, ହିନ୍ଦୀ, ଗଣିତ, ମ୍ୟୁଜିକ୍‌, ସାଇକୋଲୋଜୀ ଆଦି ବିଷୟରେ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ନିଯୁକ୍ତି ସୁଯୋଗ ରହିଛି । ପ୍ରାର୍ଥୀ ଜଣଙ୍କ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ/ କଲେଜରୁ ସମନ୍ଧିତ ବିଷୟରେ ୫୫ % ମାର୍କ ରଖିଥିବା ଅନିବାର୍ଯ୍ୟ । ଏହା ବ୍ୟତୀତ UGC NET/ CSIR NET କିମ୍ବା ସମକକ୍ଷ ପରୀକ୍ଷା ପାସ୍ କରିଥିବା ଉଚିତ । ପ୍ରାର୍ଥୀଙ୍କୁ ସେମାନଙ୍କ ସ୍ନାତକ, ସ୍ନାତକୋତ୍ତର, ଏମ୍‌ଫିଲ୍‌, ଫିଏଚଡି ଏବଂ ନେଟ୍ ସ୍କୋର ଆଧାରରେ ଚୟନ କରାଯିବ । ସର୍ଟଲିଷ୍ଟ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ କଲ୍ ଲେଟର ମାଧ୍ୟମରେ ସାକ୍ଷାତକାର ପାଇଁ ଡକାଯିବ । ସାକ୍ଷାତକାର ସମୟରେ ପ୍ରାର୍ଥୀ ଜଣଙ୍କ ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରର ଫଟୋକପି, ଅରିଜିନାଲ ଡକ୍ୟୁମେଣ୍ଟ୍‌ସ ଏବଂ ଫଟୋ ଆଇଡି ପ୍ରୁଫ୍ ସାଥିରେ ଆଣିବାକୁ ପଡ଼ିବ ।

ଆବେଦନ ଶୁଳ୍କ ଓ ଦରମା

ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଆବେଦନ କରିବା ପାଇଁ ସାଧାରଣ/ ଓବିସି ଏବଂ EWS ପ୍ରାର୍ଥୀଙ୍କୁ ଶୁଳ୍କ ବାବଦକୁ ୫୦୦ ଟଙ୍କା ଦେବାକୁ ପଡ଼ିବ । ସେହିପରି SC/ST/PWD ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଛାଡ଼ କରାଯାଇଛି । ଏହି ପରୀକ୍ଷା ପାଇଁ କୌଣସି ଲିଖିତ ପରୀକ୍ଷା ନଥିବା ବେଳେ କେବଳ ଶିକ୍ଷାଗତ ଯୋଗ୍ୟତା ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଚୟନ ହୋଇଥିବା ପ୍ରାର୍ଥୀ ଜଣଙ୍କୁ ୭ମ ବେତନ ଆୟୋଗର pay scale 10  ଆଧାରରେ ୫୬, ୧୦୦ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ରହିଛି ।