ଭୁବନେଶ୍ୱର- ବୁଧବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ସକାଳୁ ସକାଳୁ ଥାନା ଅଧୀନ ବୀରବନ୍ଧ ଗାଁ ଦାଣ୍ଡରେ ଏକ ଶବ ପଡିଥିବା ଦେଖିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ଲୋକଙ୍କ ଭିଡ ହୋଇଥିଲା । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ମୃତଦେହ ସେହି ଅଞ୍ଚଳର ବାଉରୀବନ୍ଧୁ ବେହେରାଙ୍କର ହୋଇଥିବା ଜଣାପଡିଛି ।
ସୂଚନା ମୁତାବକ, ବୁଧବାର ସକାଳୁ ଗାଁ ଦାଣ୍ଡରେ ଏକ ମୃତଦେହ ପଡିଥିବା ଜଣେ ବ୍ୟକ୍ତି ଦେଖିବା ପରେ ଖବର ସାରା ଅଞ୍ଚଳରେ ନିଆଁ ଭଳି ବ୍ୟାପୀଯାଇଥିଲା । ଲୋକେ ମୃତଦେହଟି ବୃଦ୍ଧ ବାଉରୀବନ୍ଧୁଙ୍କର ଥିବା ଚିହ୍ନଟ କରିଥିଲେ । ଏହା ପରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଉଛି । କେହି ବ୍ୟକ୍ତି ତାଙ୍କୁ ମାରିଦେଇଥିବା ସନ୍ଦେହ କରାଯାଉଛି । ଏହି ହତ୍ୟାକାଣ୍ଡ ଗତ କାଲି ରାତିରେ ହୋଇଥିବା ସନ୍ଦେହ ପ୍ରକଟ କରୁଛନ୍ତି ଗ୍ରାମବାସୀ । ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଦେଇଛି ।
ସେହିପରି ବାରଙ୍ଗ ଥାନା ଅଧୀନରେ ବିଲ୍ଡର ସଂସ୍ଥାରେ କାମ କରୁଥିବା ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । କଟକର ଏକ ବିଲ୍ଡର ସଂସ୍ଥାରେ ସେହି ଶ୍ରମିକ କାମକରୁଥିବା ବେଳେ ତାଙ୍କ ଘର କେନ୍ଦ୍ରାପଡାରେ । ତେବେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ବାରଙ୍ଗ ଅଞ୍ଚଳରେ ପିଟି ପିଟି ମାରିଦେଇଥିବା ଅଭିଯୋଗ କରୁଛନ୍ତି ଶ୍ରମିକଙ୍କ ପରିବାର ଲୋକ ।
ଉଭୟ ଘଟଣାରେ ପୋଲିସ ମୃଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ଏୟାରଫିଲ୍ଡ ଅଞ୍ଚଳର ବୃଦ୍ଧଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବାରୁ ହୁଏତ ବୟସାଧିକ୍ୟ କାରଣରେ ଅସୁସ୍ଥତା କାରଣରୁ ରାସ୍ତାରେ ପଡି ତାଙ୍କ ମୃତ୍ୟୁ ହୋଇଥିବା ଦିଗ ଉପରେ ପୋଲିସ ସନ୍ଦେହ କରୁଛି । ଉଭୟ ମାମଲାରେ ପୋଲିସର ତଦନ୍ତ ସରିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଉଛି ।