ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିସେମ୍ବର ୨୨ ତାରିଖ ଅର୍ଥାତ ଆସନ୍ତାକାଲି ରବିବାର ଦିନ ଅନେକ ପଦ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ଏହି ଦିନ ମୋଟ ୪ଟି ପରୀକ୍ଷା ଅନୁଷ୍ଠିତ ହେବ । ଏହି ଦିନ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି (ଏନଏମଏମଏସ) ପରୀକ୍ଷା ୨୦୨୪-୨୫ ଅନୁଷ୍ଠିତ ହେବ । ପରୀକ୍ଷା ଦୁଇଟି ଶିଫ୍ଟରେ ଅନୁଷ୍ଠିତ ହେବ । ସକାଳ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଶିଫ୍ଟ ଓ ଅପରାହ୍ଣ ୨ଟାରୁ ୩ଟା ପର୍ଯ୍ୟନ୍ତ ଦ୍ୱିତୀୟ ଶିଫ୍ଟ ପରୀକ୍ଷା ଅନୁଷ୍ଠିତ ହେବ ।
ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ଆନାଲିଷ୍ଟ ଓ ଲାଇବ୍ରେରିଆନ ପଦର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ଭୁବନେଶ୍ୱରର ପରୀକ୍ଷା କେନ୍ଦ୍ରରେ ଓଏମଆର ମୋଡ଼ରେ (ଏମସିକ୍ୟୁ ଟାଇପ) ଏହି ପରୀକ୍ଷା ଅନୁଷ୍ଠିତ ହେବ ।
ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ସହକାରୀ ମତ୍ସ୍ୟ ଅଧିକାରୀ, ଗ୍ରୁପ-ବି ପଦ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସକାଳ ୯.୩୦ରୁ ୧୨ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଦ୍ୱିପ୍ରହର ୨ଟାରୁ ଆରମ୍ଭ ହୋଇ ୪.୩୦ରେ ସମାପ୍ତ ହେବ ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ନିଯୁକ୍ତି ପାଇବାକୁ ଥିବା ସାଇକିୟାଟ୍ରିକ ସୋସିଆଲ ୱାର୍କର ପଦ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ୧୧.୩୦ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ ।