ଯୁବବର୍ଗଙ୍କ ସାମର୍ଥ୍ୟର ଭରପୂର ଉପଯୋଗ ସରକାରଙ୍କ ଲକ୍ଷ୍ୟ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ଆଜି ଦେଶବ୍ୟାପୀ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ୪୫ଟି ସ୍ଥାନରେ ଆୟୋଜିତ ହୋଇଛି ନିଯୁକ୍ତି ମେଳା । ଏଥିରେ ୭୧ ହଜାରରୁ ଅଧିକ ନିଯୁକ୍ତି ପାଇଛନ୍ତି । ଭିଡିଓ କମ୍ଫେଫେରିନ୍ସିଂରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଏଥିସହ ଏହି ଅବସରରେ ନିଜ ସରକାରର ଆଭିମୁଖ୍ୟ ଲୋକଙ୍କ ସମ୍ମୁଖରେ ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି କି, ଆମ ସରକାର ବିଗତ ଦେଢ ବର୍ଷ ଭିତରେ ୧୦ ଲକ୍ଷ ଯୁବାବର୍ଗଙ୍କୁ ସରକାରୀ ଚାକିରି ଦେଇଛନ୍ତି । ଏହା ଏକ ରେକର୍ଡ । ଚୟନ ହୋଇଥିବା ସମସ୍ତ ଯୁବକ, ଯୁବତୀ ନୂଆ ସରକାରୀ ବ୍ୟବସ୍ଥାର ଅଂଶ ବିଶେଷ । ଏଥିସହ ସେ ଯୁବବର୍ଗଙ୍କୁ କହିଛନ୍ତି ଏମିତି କୌଣସି ଲକ୍ଷ୍ୟ ନାହିଁ, ଯାହା ପୂରଣ ହୋଇପାରିବ ନାହିଁ ।

ଆଗକୁ ମୋଦି କହିଛନ୍ତି, ଦେଶର ଯୁବବର୍ଗ ଆତ୍ମବିଶ୍ୱାସରେ ସମ୍ପନ୍ନ । ଷ୍ଟାର୍ଟଅପ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ରାଷ୍ଟ୍ର ପାଲଟିଛି । ପ୍ରତି କ୍ଷେତ୍ରରେ ଯୁବବର୍ଗଙ୍କୁ ଆଗକୁ ବଢିବାକୁ କାମ କରୁଛି ସରକାର । ଏଥିପାଇଁ କେନ୍ଦ୍ର ତରଫରୁ ବହୁ ଯୋଜନା କରାଯାଇଛି । ଗ୍ରାମୀଣ ଭାରତରେ ରୋଜଗାର ଦେବାକୁ ବ୍ୟାଙ୍କ ସଖୀ ଯୋଜନା ଚାଲିଛି । ଏଥିସହ ମୋଦି କହିଛନ୍ତି କି, ଦେଶର ଯୁବବର୍ଗଙ୍କ ସାମର୍ଥ୍ୟ ଓ ପ୍ରତିଭାର ଭରତ୍ପୂର ଉପଯୋଗ ତାଙ୍କ ସରକାରର ପ୍ରାଥମିକତା ପାଲଟିଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି, ରୋଜଗାର ମେଳା ଜରିଆରେ ଯୁବବର୍ଗଙ୍କ ପାଇଁ ନିୟମିତ କାମ କରାଯାଉଛି । ଗତ ୧୦ ବର୍ଷରେ ସରକାର ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ସଂସ୍ଥାରେ ସରକାରୀ ଚାକିରି ଦେବା ଅଭିଯାନ ଚାଲୁ ରଖିଛନ୍ତି । ଆଜି ୭୧ହଜାରରୁ ଅଧିକଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି । ଏଠାରେ କହି ରଖୁ କି, ଏହି ରୋଜଗାର ମେଳାର ପରିକଳ୍ପନା ଅକ୍ଟୋବର ୨୦୨୨ରୁ ଆରମ୍ଭ ହୋଇଛି ।