ମେଲବର୍ଣ୍ଣରେ ମହାମୁକାବିଲା; ରୋହିତ ସେନାଙ୍କ ଫର୍ମ ଉପରେ ରହିବ ସମସ୍ତଙ୍କ ନଜର, ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ୪ର୍ଥ ମ୍ୟାଚ୍ ମେଲବର୍ଣ୍ଣରେ ଖେଳାଯିବ । ବର୍ତ୍ତମାନ ସିରିଜ୍ ୧-୧ରେ ସମାନ ରହିଛି । ବର୍ଷା ପାଇଁ ଗୋଟିଏ ମ୍ୟାଚ୍ ଡ୍ର ରହିଥିଲା । ଡିସେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ ମେଲବର୍ଣ୍ଣ କ୍ରିକେଟ୍ ପଡ଼ିଆରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ସିରିଜକୁ ହାତେଇବା ଲକ୍ଷରେ ଉଭୟ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏହି ମ୍ୟାଚରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନକୁ ନେଇ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି ।
ବର୍ଡ଼ର ଗାଭାସ୍କର ଟ୍ରଫିରେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ପର୍ଥରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭାରତ ବିଜୟୀ ହୋଇଥିଲା । ଆଡିଲେଡରେ ହୋଇଥିବା ଦ୍ୱିତୀୟ ମ୍ୟାଚରେ ବାଜି ମାରିଥିଲା ଅଷ୍ଟ୍ରେଲିଆ । ସେହିପରି ବ୍ରିସବେନରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ ବର୍ଷା ପାଇଁ ଡ୍ର ରହିଥିଲା । ବର୍ତ୍ତମାନ ୪ର୍ଥ ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ମ୍ୟାଚର ପ୍ରଥମ ଦିନରେ ଷ୍ଟାଡିୟମରେ ପ୍ରାୟ ୧ ଲକ୍ଷ ଦର୍ଶକ ଉପସ୍ଥିତ ରହିବେ ।
ରିପୋର୍ଟ ଅନୁଯାୟୀ ଟିମ୍ ମ୍ୟାନେଜମେଣ୍ଟ ରୋହିତ ସେନାକୁ ନେଇ ବିଶେଷ ରଣନୀତି ପ୍ରସ୍ତୁତି କରୁଛି । ଓପେନିଂରେ ରୋହିତ ଶର୍ମାଙ୍କ ସହ ଯଶସ୍ୱୀ ଜୟସୱାଲ ରହିବେ । କେ.ଏଲ ରାହୁଲ ତୃତୀୟ, ଶୁଭମନ ଗିଲ ୪ର୍ଥ କିମ୍ବା ୫ମ କିମ୍ବା ମଧ୍ୟମ କ୍ରମରେ ବ୍ୟାଟିଂ କରିପାରନ୍ତି । କିନ୍ତୁ ପ୍ଲେଇଂ ୧୧ରେ ତାଙ୍କ ଉପସ୍ଥିତିକୁ ନେଇ ଆଶଙ୍କା ଦେଖାଦେଇଛି । ରବିନ୍ଦ୍ର ଜାଡେଜାଙ୍କ ସହ ଅଫ୍ ସ୍ପିନର ୱାଶିଂଟନ୍ ସୁନ୍ଦରଙ୍କୁ ପ୍ଲେଇଂ ୧୧ରେ ସୁଯୋଗ ମିଳିପାରେ । ଅପରପକ୍ଷରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଟ୍ରେଭିସ୍ ହେଡ୍ ସୁସ୍ଥ ହୋଇ ଦଳକୁ ଫେରିଛନ୍ତି । ଆଜି ବିକଳ୍ପ ପ୍ରାକ୍ଟିସ ସେସନରେ ଅଂଶ ଗ୍ରହଣ କରିବା ପରେ ମେଡିକାଲ ଟିମ୍ ତାଙ୍କୁ ଖେଳିବା ପାଇଁ ଅନୁମତି ପ୍ରଦାନ କରିଛି । ସେହିଭଳି ଏଡିଲେଡରେ ଅଧିନାୟକ ପେଟ୍ କମିଂସଙ୍କ ଦମଦାର ଶତକ ଭାରତୀୟ ବୋଲରଙ୍କ ପାଇଁ ଘାତକ ସାଜିପାରେ । ଆହତ ହୋଇଥିବା ଦୃତ ବୋଲର ଜୋଶ ହେଜେଲଉଡଙ୍କ ସ୍ଥାନରେ ସ୍କଟ୍ ବୋଲେଣ୍ଡଙ୍କୁ ଦଳରେ ସାମିଲ କରାଯାଇଛି । ଗତ ବର୍ଷ ଏହି ମଇଦାନରେ ସେ ଇଂଲଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ ।
କେତେବେଳେ ଆରମ୍ଭ ହେବ ମ୍ୟାଚ୍ ?
ଭାରତୀୟ ସମୟାନୁସାରେ ଡିସେମ୍ବର ୨୬ ତାରିଖ ଦିନ ଭୋର ୪ଟା ୩୦ରେ ଦୁଇ ଦଳ ମଧ୍ୟରେ ଟସ୍ ହେବ । ପ୍ରଥମ ସେସନ୍ ସକାଳ ୫ଟାରୁ ୭ ଟା ମଧ୍ୟରେ ଖେଳାଯିବ । ୭ଟାରୁ ୭:୪୦ ପର୍ଯ୍ୟନ୍ତ ବ୍ରେକ୍ ରହିବ । ଅପରାହ୍ନ ସେସନ୍ ସକାଳ ୭ଟା ୪୦ରୁ ୯ଟା ୪୦ ପର୍ଯ୍ୟନ୍ତ ଖେଳାଯିବ । ଏହା ପରେ ୯ଟା ୪୦ରୁ ୧୦ଟା ପର୍ଯ୍ୟନ୍ତ ‘ଟି’ ବ୍ରେକ୍ ରହିବ । ଶେଷରେ ସନ୍ଧ୍ୟା ସେସନ୍ ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ରହିବ । ଗୋଟିଏ ଦିନରେ ଆବଶ୍ୟକ ସର୍ବନିମ୍ନ ସଂଖ୍ୟକ ଓଭର(୯୦) ପୂରଣ ନହେଲେ ପ୍ରତିଦିନ ଷ୍ଟମ୍ପକୁ ୩୦ ମିନିଟ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ । ଡିସେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ ମ୍ୟାଚ୍ ସମୟରେ ବର୍ଷା ବାଧାଦେଲେ ଭୋର ୪ଟା ପୂର୍ବରୁ ଏବଂ ଦିନ ୧୨ଟା ପରେ ମଧ୍ୟ ମ୍ୟାଚ୍ ଜାରି ରହିପାରେ । ବକ୍ସିଂ ଡେ ଟେଷ୍ଟର ସିଧା ପ୍ରସାରଣ(ଟିଭିରେ) ଷ୍ଟାର ସ୍ପୋର୍ଟ୍ସ ନେଟୱାର୍କ ସହ ଦୂରଦର୍ଶନ ସ୍ପୋର୍ଟ୍ସ ଚ୍ୟାନେଲରେ ଦେଖିପାରିବେ । ଏହା ବାଦ୍ ଡିଜ୍ନୀ ପ୍ଲସ୍ ହଟଷ୍ଟାର ୱେବସାଇଟ୍ ଏବଂ ଆପରେ ମ୍ୟାଚର ମଜା ନେଇପାରିବେ । କହିରଖୁଛୁ ଷ୍ଟାର ସ୍ପୋର୍ଟ୍ସର ଦୁଇଟି ପ୍ଲାଟଫର୍ମରେ ମାଗଣାରେ ମ୍ୟାଚ୍ ଦେଖିପାରିବେ । ଡିଡି ଫ୍ରି ଡିଶରେ ବି ଫ୍ୟାନ୍ସ ମାଗଣାରେ ମ୍ୟାଚ୍ ଦେଖିପାରିବେ ।