ମାନିଲେ ନାହିଁ ସ୍ତ୍ରୀର ସର୍ତ୍ତ, ଭାଙ୍ଗିଗଲା ବିବାହ; ଦୀର୍ଘ ୫୦ ବର୍ଷରୁ ବଦଳିନି ବ୍ୟକ୍ତିଙ୍କ ଏହି ଅଭ୍ୟାସ, ଜାଣନ୍ତୁ କାରଣ
ତେଲେଙ୍ଗାନା: ସାଧାରଣତଃ ନିଜ ବିବାହକୁ ନେଇ ବ୍ୟକ୍ତି ଅନେକ ସ୍ୱପ୍ନ ଦେଖିଥାଏ । ଜୀବନର ଏକ ସୁନ୍ଦର ମୁହୂର୍ତ୍ତକୁ ବିଶେଷ କରିବା ପାଇଁ ଅନେକ ଚେଷ୍ଟା କରିଥାଏ । ଉଭୟ ବର କନ୍ୟା ମ୍ୟାଚିଂ ପୋଷାକ, ମେକଅପ୍, ଫଟୋ ଶୁଟ୍ ଇତ୍ୟାଦିକୁ ନେଇ ଉତ୍ସାହିତ ଥାନ୍ତି । କେବଳ ସେଲିବ୍ରିଟି ନୁହେଁ ବରଂ ସାଧାରଣ ବ୍ୟକ୍ତିଙ୍କ ବିବାହକୁ ନେଇ ଅନେକ ସମୟରେ ଚର୍ଚ୍ଚା ଲାଗି ରହିଥାଏ । ଏଥିମଧ୍ୟରେ ତେଲେଙ୍ଗାନାରୁ ଏକ ଅଜବ ଗଜବ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜ ବିବାହରେ ବର ବେଶରେ ସଜେଇ ହୋଇ ସୁନ୍ଦର ଦେଖାଯିବାକୁ ପସନ୍ଦ କରିନଥିଲେ । ଶେଷରେ ସେ ବିନା ସାର୍ଟରେ ବିବାହ କରିଥିଲେ । ବିବାହ ପରେ ମଧ୍ୟ ତାଙ୍କର ଏଭଳି ଅଭ୍ୟାସ ସମସ୍ତଙ୍କୁ ଚକିତ କରିଥିଲା ।
ଏଭଳି ଏକ ଅଜବ ମାମଲା ଦେଖିବାକୁ ମିଳିଛି ତେଲେଙ୍ଗାନା ରାଜ୍ୟ ଜାଗିତ୍ୟାଲ ଜିଲ୍ଲାରେ । କୋରୁଟାଲା ମଣ୍ଡଲ ଅୟାଲପୁର ଗାଁରେ ମୁକାଇରା ବକେଇୟା ନାମକ ଜଣେ ବ୍ୟକ୍ତି ବାସ କରୁଛନ୍ତି । ବୟସ ୫୦ ବର୍ଷ । ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଭଳି ସେ ବିନା ସାର୍ଟ ଏବଂ ବାନିୟାନରେ ରହି ଆସିଛନ୍ତି । ତାଙ୍କର ଏଭଳି ନିଆରା ଜୀବନଶୈଳୀ ପାଇଁ ଗାଁରେ ସେ ‘ଗାନ୍ଧୀ’ ନାମରେ ପରିଚିତ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ତାଙ୍କ ବିବାହ ସମୟରେ ମଧ୍ୟ ସେ ସାର୍ଟ କିମ୍ବା ବାନିୟାନ୍ ପିନ୍ଧି ନଥିଲେ । ବିବାହ ପରେ ପନୀ ଅନେକ ଥର ପତ୍ନୀ ଓ ପରିବାର ମୁକାଇରା ବକେଇୟାଙ୍କୁ ଏହି ଅଭ୍ୟାସ ବଦଳାଇବା ପାଇଁ କହିଥିଲେ । କିନ୍ତୁ ସେ କାହା କଥା ଶୁଣିନଥିଲେ । ଶେଷରେ ତାଙ୍କ ପତ୍ନୀ ସ୍ୱାମୀଙ୍କ ଏଭଳି ଅଭ୍ୟାସ ଠାରୁ ବିରକ୍ତ ହୋଇ ଏକ ସର୍ତ୍ତ ରଖିଥିଲେ କି ତାଙ୍କ ସହ ରହିବାକୁ ହେଲେ ସାର୍ଟ ପିନ୍ଦିବାକୁ ପଡ଼ିବ । କିନ୍ତୁ ତାଙ୍କ ସ୍ୱାମୀ ପତ୍ନୀଙ୍କ ଏଭଳି ସର୍ତ୍ତକୁ ବେଖାତିର କରିଥିଲେ । ଏହା ପରେ ପତ୍ନୀ ରାଗିଯାଇ ବାପ ଘରକୁ ଚାଲିଯାଇଥିଲେ ଓ ଶେଷରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଛାଡ଼ି ଦେଇଥିଲେ ।
ଏଭଳି ଏକ ଅଜବ ଅଭ୍ୟାସ ପଛରେ ଥିବା କାରଣ କହିଥିଲେ ମୁକାଇରା ବକେଇୟା । ସେ କହିଥିଲେ ‘ସେ ବହୁତ ଗରିବ ପରିବାରରୁ ଆସିଛନ୍ତି । ପରିବାର ଏତେ ଗରିବ ଥିଲା କି ତାଙ୍କୁ ସାର୍ଟଟିଏ କିଣି ଦେବା ପାଇଁ ବି ସକ୍ଷମ ନଥିଲା । ତେଣୁ ତାଙ୍କ ପିଲାଦିନ ବିନା ସାର୍ଟରେ ବିତିଛି । ପିଲାଦିନୁ ଆରମ୍ଭ ହୋଇଥିବା ଏହି ବାଧ୍ୟବାଦକତା ବର୍ତ୍ତମାନ ଅଭ୍ୟାସରେ ପରିବର୍ତ୍ତନ ହୋଇଛି । ପରିବାରର ଆର୍ଥିକ ସ୍ଥିତି ସୁଧୁରିବା ପରେ ମଧ୍ୟ ପରିବାର ଅନେକ ଥର ସାର୍ଟ ପିନ୍ଧିବା ପାଇଁ କହିଥିଲେ କିନ୍ତୁ ଏହା ତାଙ୍କ ଅଭ୍ୟାସର ବିପରିତ ଥିଲା ।’ ସେ ଆହୁରି ମଧ୍ୟ କୁହନ୍ତି କି ବିନା ସାର୍ଟ ଏବଂ ବାନିୟାନରେ ସେ ଅଧିକ ସହଜ ଏବଂ ସ୍ୱାଧୀନ ଅନୁଭବ କରନ୍ତି । ଖରା, ବର୍ଷା ଓ ଶୀତରେ ବି ସେ ସାର୍ଟ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ । ଏହା ତାଙ୍କ ଜୀବନର ଏକ ଅଂଶବିଶେଷ ପାଲଟିଯାଇଛି ଏବଂ ସେ ନିଜେ ବି ଏହାକୁ ବଦଳାଇପାରିବେ ନାହିଁ ।