ସଡ଼କ ଦୁର୍ଘଟଣା ପୀଡିତଙ୍କୁ ମିଳିବ କ୍ୟାସଲେସ୍‌ ଚିକିତ୍ସା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ବଡ଼ ଘୋଷଣା

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ମଙ୍ଗଳବାର ଦିନ ସଡ଼କ ଦୁର୍ଘଟଣା ପୀଡିତଙ୍କୁ କ୍ୟାସଲେସ୍‌ ଚିକିତ୍ସା ଯୋଗାଇବା ପାଇଁ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଗତ ବର୍ଷ ଦେଶରେ ସଡ଼କ ଦୁର୍ଘଟଣାରେ ୧.୮ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ୪୨ତମ ପରିବହନ ବିକାଶ ପରିଷଦ ବୈଠକରେ ଗଡକରୀ କହିଛନ୍ତି ଯେ ସଡ଼କ ସୁରକ୍ଷା ଏକ ପ୍ରାଥମିକତା।

ନୂଆଦିଲ୍ଲୀ: ମାର୍ଚ୍ଚ ସୁଦ୍ଧା ସାରା ଦେଶରେ ସଡ଼କ ଦୁର୍ଘଟଣା ପୀଡିତଙ୍କୁ କ୍ୟାସଲେସ୍‌ ଚିକିତ୍ସା ମିଳିବ। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମଙ୍ଗଳବାର ଦିନ କହିଛନ୍ତି ଯେ, ସରକାର ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ଲାଗି କ୍ୟାସଲେସ୍‌ ଯୋଜନା ଆଣିବାକୁ ଯାଉଛନ୍ତି। ଏହି ଯୋଜନା ଅଧିନରେ ୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମାଗଣା ଚିକିତ୍ସା ମିଳିବ। ତେବେ ମାର୍ଚ୍ଚ ମଧ୍ୟରେ ସଂଶୋଧିତ ଯୋଜନା ଆଣିବାର ପ୍ରସ୍ତୁତି କରାଯାଉଥିବା ସେ କହିଛନ୍ତି।

ଗଡକରୀ କହିଛନ୍ତି, ଏହି ଯୋଜନା କୌଣସି ବାହନ ଦ୍ୱାରା ହୋଇଥିବା ସମସ୍ତ ସଡ଼କ ଦୁର୍ଘଟଣା ଉପରେ ଲାଗୁ ହେବ। ପାଇଲଟ କାର୍ଯ୍ୟକ୍ରମର ଯୋଜନା ମୁତାବକ, ଆହତମାନଙ୍କୁ ଦୁର୍ଘଟଣା ହେବା ତାରିଖରୁ ୭ ଦିନ ଅବଧି ଯାଏ ଅଧିକରୁ ଅଧିକ ୧.୫ ଲକ୍ଷ ଯାଏ କ୍ୟାଶଲେସ୍‌ ଚିକିତ୍ସାର ହକଦାର ଅଟନ୍ତି।

୧୪ ମାର୍ଚ୍ଚ, ୨୦୦୪ରେ ସଡକ ଦୁର୍ଘଟଣାରେ ଆହତମାନଙ୍କୁ କ୍ୟାଶଲେସ୍‌ ଚିକିତ୍ସା ପ୍ରଦାନ କରିବା ଲାଗି ଏକ ପାଇଲଟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଚଣ୍ଡିଗଡ଼ରେ ଆରମ୍ଭ କରାଯାଇଥିବା ପାଇଲଟ୍‌ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ସମୟ ଥାଇ ଚିକିତ୍ସା ସୁବିଧା ପ୍ରଦାନ କରିବା ଲାଗି ଏକ ପରିବେଶ ସୃଷ୍ଟି କରିବା ଥିଲା। ଏହି ପ୍ରୋଜେକ୍ଟକୁ ପରେ ୬ ରାଜ୍ୟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

କେନ୍ଦ୍ର ସରକାର ଅଗଷ୍ଟ ୨୦୨୪ରେ ସୂଚନା ଦେଇଥିଲେ ଯେ, ଯୋଜନା ଅନ୍ତର୍ଗତ ଆସିବାକୁ ଥିବା ଆହତମାନଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧିନରେ ତାଲିକାଭୂକ୍ତ ଡାକ୍ତରଖଶନାରେ ଦୁର୍ଘଟଣା ଘଟିବା ତାରିଖରୁ ୭ ଦିନ ଅବଧି ଯାଏ ଟ୍ରମା ଏବଂ ପଲିଟ୍ରମା ଚିକିତ୍ସା ସମ୍ବନ୍ଧୀୟ ୧.୫ ଲକ୍ଷ ଟଙ୍କା ଯାଏ ସ୍ବାସ୍ଥ୍ୟ ଲାଭ ପ୍ୟାକେଜ୍‌ ଦିଆଯାଇଥାଏ।

PIB ପକ୍ଷରୁ ଜାରି ବିଜ୍ଞପ୍ତି ମୁତାବକ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନ୍ତର୍ଗତ ଏନ୍‌ଏଚ୍‌ଏ, ସ୍ଥାନୀୟ ପୋଲିସ, ତାଲିକାଭୁକ୍ତ ଡାକ୍ତରଖାନା, ରାଜ୍ୟ ସ୍ବାସ୍ଥ୍ୟ ଏଜେନ୍ସି, ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଏବଂ ସାମାନ୍ୟ ବୀମା ପରିଷଦ ସହ ସମାନ ବ୍ୟୟ କାର୍ଯ୍ୟକ୍ରମ ଲାଗୁ କରିବା ଲାଗି ଦାୟୀ ଅଟନ୍ତି।

ଗଡ଼କରୀ କହିଛନ୍ତି, ଯଦି ପୋଲିସକୁ ଦୁର୍ଘଟଣା ହେବାର ୨୪ ଘଣ୍ଟା ମଧ୍ୟରେ ସୂଚୀତ କରାଯାଏ, ତେବେ ସରକାର ଚିକିତ୍ସା ଖର୍ଚ୍ଚ ଉଠାଇବେ। ସଡ଼କ ସୁରକ୍ଷା ସରକାରଙ୍କ ପ୍ରାଥମିକତା ଅଟେ। ୨୦୨୪ରେ ପ୍ରାୟ ୧.୮୦ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏଥିରୁ ୩୦ ହଜାର ମୃତ୍ୟୁ ହେଲମେଟ ନ ପିନ୍ଧିବା ଯୋଗୁ ହୋଇଛି। ହିଟ୍‌ ଆଣ୍ଡ ରନ୍‌ ସ୍ଥିତିରେ ମୃତ୍ୟୁ ହେଲେ ପୀଡ଼ିତ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ।