(VIDEO) ସୁନା କାନଫୁଲ କିଣି ଦେବ କହି ସ୍ତ୍ରୀ’ର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ, ସ୍ତ୍ରୀ’ପେଟରେ ଥିଲା ୩ ମାସର ଛୁଆ
ରାଗ ପାଇଁ ସୈତାନ ପାଲଟିଲା ସ୍ୱାମୀ । ପାରିବାରିକ କଳହରୁ ସ୍ତ୍ରୀର ନେଲା ଜୀବନ । ଥାନାରେ କଲା ଆତ୍ମସମର୍ପଣ ।
କାଲିମେଳା: ମାଲକାନାଗିରି କାଲିମେଳା ବ୍ଲକ ଗମ୍ପାକୋଣ୍ଡା ପଞ୍ଚୟେତ ଅନ୍ତର୍ଗତ ଏମଭି-୬୬ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରିଛି ସୈତାନ ସ୍ୱାମୀ । ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛି ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ନିପେନ ବିଶ୍ୱାସ ।
ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦାବିରେ ଥାନା ଘେରାଉ କରିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।
୮ ବର୍ଷ ପୂର୍ବେ ଏମଭିପି-୨୬ର ଶ୍ରିତି ବିଶ୍ୱାସ ଏମଭି-୬୬ର ନିପେନଙ୍କୁ ବିବାହ କରିଥିଲେ । ଦମ୍ପତି ଆଖୁରସ ବ୍ୟବସାୟ କରୁଥିଲେ । କୌଣସି କାରଣରୁ ଶ୍ରିତି ଓ ନିପେନଙ୍କ ମଧ୍ୟରେ ଝଗଡ଼ା ହେବା କାରଣରୁ ଶ୍ରିତି ତାଙ୍କ ବାପ ଘରକୁ ଚାଲିଯାଇଥିଲେ । ଗୁରୁବାର ସ୍ତ୍ରୀଙ୍କୁ ଆଣିବା ପାଇଁ ନିପେନ ଶଶୁରଘରେ ପହଞ୍ଚିଥିଲା । ସେଠାରେ ସୁନା କାନଫୁଲ ଏବଂ ଆଖୁ ପେଡ଼ା ମେସିନ କିଣିବା କହି ସ୍ତ୍ରୀ ଶ୍ରିତିଙ୍କୁ ସାଥୀରେ ନିଜ ଘରକୁ ଆସିଥିଲେ ।
ଦୁହେଁ ଘରକୁ ଫେରବା ପରେ ପୁଣିଥରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳି ଗୋଳ ହୋଇଥିଲା । ଯାହାପରେ ଧାରୁଆ ଛୁରୀରେ ନିପେନ ଶ୍ରିତିଙ୍କ ତଣ୍ଟି କାଟି ତାଙ୍କୁ ହତ୍ୟା କରିଥିଲା । ଘଟଣାର ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ନେଇଛି । ଶ୍ରିତି ୩ ମାସର ଗର୍ଭବତୀ ଥିବାବେଳେ ପୂର୍ବରୁ ତାଙ୍କର ୨ଟି ପୁତ୍ର ସନ୍ତାନ ଅଛନ୍ତି । ପରିବାର ଲୋକେ ଏବଂ ଗ୍ରାମବାସୀ ନିପେନଙ୍କ ଏତେବଡ଼ ଭୁଲ ପାଇଁ ତାଙ୍କୁ ଫାଶୀ ଦଣ୍ଡ ଦାବି କରୁଛନ୍ତି ।