ସବୁ ଖୋଲି କହିଦେଲେ ଅରୁଣ: ”୨୪ବର୍ଷ ଶାସନ କରିବା ପରେ ଆମ ଭିତରେ ଅହଙ୍କାର ବଢ଼ିଗଲା”

୨୪ ବର୍ଷ କ୍ଷମତାରେ ରହିଲା ପରେ ଦଳ କାହିଁକି ପରାସ୍ତ ହେଲା ସେ ନେଇ ମଧ୍ୟ ମୁହଁ ଖୋଲିଛନ୍ତି।

ରାୟଗଡ଼ା: ରାଜ୍ୟରେ ପର୍ଯାୟକୁ ନେଇ ବଡ କଥା କହିଛନ୍ତି ବରିଷ୍ଠ ବିଜେଡି ନେତା ଅରୁଣ ସାହୁ। ୨୪ ବର୍ଷ କ୍ଷମତାରେ ରହିଲା ପରେ ଦଳ କାହିଁକି ପରାସ୍ତ ହେଲା ସେ ନେଇ ମଧ୍ୟ ମୁହଁ ଖୋଲିଛନ୍ତି। ଗୁରୁବାର ରାୟଗଡା ଗସ୍ତରେ ଯାଇ ଅରୁଣ ସାହୁ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ। ଅହଙ୍କାର ପାଇଁ ବିଜେଡି ପରାଜୟ ବରଣ କଲା ବୋଲି ସେ ମନ୍ତବ୍ୟ ଦେଇଛନ୍ତି।

ଅରୁଣ କହିଥିଲେ, ପ୍ରଭୁ ଜଗନ୍ନାଥ ଆମକୁ ଶାସନ କ୍ଷମତାରୁ ହଟାଇଛନ୍ତି। ବିଜେଡି ୨୪ବର୍ଷ ଶାସନ କରିବା ପରେ ଆମ ଭିତରେ ଅହଙ୍କାର ବଢ଼ି ଯାଇଥିଲା। ତେଣୁ ନିର୍ବାଚନ ହାରିଲୁ, ଜନତା ଆମକୁ ବିରୋଧୀ ଆସନରେ ବସାଇଛନ୍ତି। ତେବେ ଆମେ ହତାଶ ହେବା ନାହିଁ। ଦଳ ଭିତରେ ଥିବା ଅସନ୍ତୋଷ, ନିଜ ନିଜ ମଧ୍ୟରେ ରହିଥିବା ଦ୍ବନ୍ଦ୍ବକୁ ଭୁଲିଗଲେ ବିଜେଡି ପୁଣି କ୍ଷମତାକୁ ଆସିବ ବୋଲି ଅରୁଣ ସାହୁ କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିଲେ।

ଏହି ଅବସାରରେ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ ମଧ୍ୟ ଟିକେଟ୍ ବିତରଣରେ ଅନିୟମିତତା ସହ ସ୍ଥାନୀୟ ନେତାଙ୍କୁ ଅଣଦେଖା ପ୍ରସଙ୍ଗ ଉଠାଇଥିଲେ। ରାୟଗଡ଼ା ବିଧାନସଭା ଆସନ ନିମନ୍ତେ ଟିକେଟ୍ ବଣ୍ଟନ ପରେ ଦଳ ଭିତରେ ଅସନ୍ତୋଷ ବଢ଼ିଲା। ଯାହା ଦଳ ପାଇଁ ପରାଜୟରକାରଣ ସାଜିଲା। ଆଗକୁ ଏମିତି ନିଷ୍ପତ୍ତକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ରୋକ୍‌ଠୋକ୍ କହିଥିଲେ ଭାସ୍କର ।

ବିଭାଜନକାରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ଯୋଗୁଁ ଦଳର ଶୋଚନୀୟ ପରାଜୟ ହୋଇଛି। ସବୁ ଭୁଲ୍‌କୁ ଭୁଲିଯାଇ ସମସ୍ତେ ଏକଜୁଟ ହୋଇ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ସୁଦୃଢ଼ କରିବା ବୋଲି ଆହ୍ବାନ ଦେଇଥିଲେ। ଦଳ ଭିତରେ ଅନ୍ତର୍ଘାତି କାର୍ଯ୍ୟ ଯୋଗୁଁ ପରାଜୟର ସାମ୍ନା କରିବାକୁ ପଡ଼ିଛି ବୋଲି ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ମଧ୍ୟ ସ୍ବୀକାର କରିଥିଲେ।

ଏହି ଅବସରରେ ଅରୁଣ ସରକାରଙ୍କୁ ସମାଲୋଚନା କରିବାକୁ ଭୁଲି ନ ଥିଲେ। ଡବଲ ଇଞ୍ଜିନ୍ ନାରା ଦେଇ ଭାଜପା ଦଳ ସରକାରକୁ ଆସିଲେ। ଦରଦାମ ନିୟନ୍ତ୍ରଣ, କଟ୍‌ନିଛଟ୍‌ନି ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କ୍ଷମତାକୁ ଆସିବାର ୮ମାସ ପରେ ସବୁ ଓଲଟା ହେଉଛି। ଦରଦାମ ବଢ଼ୁଛି, କଟ୍‌ନିଛଟ୍‌ନି ବନ୍ଦ ହୋଇନି। ଚାଷୀଙ୍କୁ କେମିତି ଶୋଷଣ କରାଯାଉଛି ଓଡ଼ିଶାବାସୀ ଦେଖୁଛନ୍ତି। ଜନତା ଏହି ସରକାରଙ୍କ ଠାରୁ ନିଶ୍ଚୟ ଦୂରେଇ ଯିବେ ବୋଲି କହିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ।