‘ସ୍ଲିପ୍ ପାରାଲିସିସ୍ କଣ, ଯେଉଁଥିରେ ହଠାତ୍ ନିଦ ଭାଙ୍ଗିବା ପରେ ଶରୀର ହୋଇନଥାଏ ହଲ୍‌ଚଲ୍

ଆପଣ କେବେ ନା କେବେ ଅନୁଭବ କରିଥିବେ ହଠାତ୍ ନିଦ ଭାଙ୍ଗିବା ପରେ ଶରୀର ହଲ୍‌ଚଲ୍ ହୋଇନଥାଏ । କଥା କହିବାକୁ ଚେଷ୍ଚା କଲେ ବି ମୁହଁ ଖୋଲେ ନାହିଁ । ଏହାପରେ ମନରେ ଡର ଆସେ । ତେବେ ଭୂତ ପ୍ରଭାବରୁ ଏମିତି ହୁଏ ବୋଲି କୁହନ୍ତି । କିନ୍ତୁ ଏହି ଅବସ୍ଥାକୁ ‘ନିଦ୍ରା ପକ୍ଷାଘାତ’ ବା ‘ସ୍ଲିପ୍ ପାରାଲିସିସ୍’ ଡାକ୍ତର କହିଥାନ୍ତି ।

ଡାକ୍ତରଙ୍କ ଅନୁସାରେ ସ୍ଲିପ୍ ପାରାଲିସିସ୍ ଏପରି ଏକ ଅବସ୍ଥା ଯେଉଁଥିରେ ମସ୍ତିଷ୍କ ସକ୍ରିୟ ଥାଏ କିନ୍ତୁ ଶରୀର ନିଷ୍କ୍ରିୟ ହୋଇଯାଏ । ଏହି କାରଣରୁ ନିଦରୁ ଉଠିବା ପରେ ଜଣେ ବ୍ୟକ୍ତି କିଛି ସମୟ ଚଳପ୍ରଚଳ କିମ୍ବା କଥାବାର୍ତ୍ତା କରିବାକୁ ସମର୍ଥ ହୁଏ ନାହିଁ । ଦୁଇ ମିନିଟ୍‌ରେ ଏହା ଆପେ ଆପେ ଠିକ୍ ହୋଇଯାଏ ।

ସାଧାରଣତଃ ନିଦ୍ରା ଅଭାବ, ଅନିଦ୍ରା, ଶୋଇବାରେ ଅନିୟମିତତା, ଚିନ୍ତା ଏବଂ ଭୁଲ ପୋଜ୍ ରେ ଶୋଇବା କାରଣରୁ ସ୍ଲିପ୍ ପାରାଲିସିସ୍ ହୁଏ । ନିଦ୍ରା ପକ୍ଷାଘାତ କୌଣସି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ନୁହେଁ, ଏହା ଯେକୌଣସି ବ୍ୟକ୍ତିଙ୍କ ସହ ହୋଇପାରେ । ଆମ ଶରୀର ଗଭୀର ଆରାମ ଅବସ୍ଥାକୁ ଚାଲିଯାଏ ,ଯାହାକୁ ରାପିଡ୍ ଆଇ ମୁଭମେଣ୍ଟ ସ୍ଲିପ କୁହନ୍ତି । ଏହି ଅବସ୍ଥାରେ ଶରୀର ଆରାମ କରୁଥାଏ ଏବଂ ମାଂସପେଶୀଗୁଡିକ ଅସ୍ଥାୟୀ ଭାବେ ନିଷ୍କ୍ରିୟ ରହିଥାଏ । ଯଦି ଏହି ସମୟରେ ହଠାତ୍ ନିଦ ଭାଙ୍ଗିଯାଏ ତାହେଲେ ମସ୍ତିଷ୍କ ଶରୀରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିପାରେ ନାହିଁ । ଫଳରେ ନିଦ୍ରା ପକ୍ଷାଘାତ ହୁଏ ।

ଯଥାସମ୍ଭବ ମାନସିକ ଚାପ କମାଇବାକୁ ଚେଷ୍ଟା କରନ୍ତୁ । ଗଭୀର ନିଶ୍ବାସ ନେବା, ଧ୍ୟାନ, ଯୋଗ ଦ୍ବାରା ଚାପ କମ୍ କରାଯାଇପାରିବ । ଏହା ସ୍ଲିପ୍ ପାରାଲିସିସ୍ ରୋକିବାରେ ସହାୟକ ହେବ । ସେହିପରି ପିଠି ପଟେ ଶୋଇବା ଦ୍ବାରା ଏହି ପକ୍ଷାଘାତ ଆଶଙ୍କା ବଢିଥାଏ । ତେଣୁ କଡ଼ ଲେଉଟାଇ ଶୋଇବାକୁ ଚେଷ୍ଟା କରନ୍ତୁ ।