ବିଧାନସଭାରେ ବିଧାୟକଙ୍କ ପାନ ଛେପ ସଫା କଲେ ବାଚସ୍ପତି, MLAମାନଙ୍କୁ କଲେ ତାଗିଦ୍
ବିଧାୟକଙ୍କୁ ତାଗିଦ୍ କଲେ ବାଚସ୍ପତି । କହିଲେ ବିଧାନସଭା ସଫା ରଖିବା ଆମ କର୍ତ୍ତବ୍ୟ ।
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭାରେ ବଡ଼ ଅବ୍ୟବସ୍ଥା ସାମ୍ନାକୁ ଆସିଛି । ବିଧାନସଭା ଗୃହ ଭିତରେ କିଛି ବିଧାୟକ ପାନ ଛେପ ପକାଇବା ନେଇ ବାଚସ୍ପତି ସତିଶ ମହନା ମଙ୍ଗଳବାର ବିଧାୟକଙ୍କୁ ତାଗିଦ୍ କରିଛନ୍ତି ।
ନିଜେ ସଫା କଲେ: କିଛି ବିଧାୟକ ବିଧାନସଭାରେ ପାନ ଚୋବେଇ ଛେପ ସଭା ଗୃହ କଣରେ ପକାଉଥିବାବେଳେ ଏ ପରି ନ କରିବାକୁ ବାଚସ୍ପତି ବାରଣ କରିଛନ୍ତି । ମଙ୍ଗଳବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ଏ ନେଇ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ।
ଭିଡିଓରୁ ଜଣାପଡ଼ିଲା: ସତିଶ କହିଥିଲେ, ବିଧାନସଭା ଭିତରେ କିଛି ବିଧାୟକ ଗୃହ କାର୍ଯ୍ୟ ଚାଲିଥିବାବେଳେ ପାନ ଛେପ ଗୃହ ଭିତରେ ପକାଉଥିବାର ଭିଡିଓ ଦେଖିବା ପରେ ମୁଁ ନୁଜେ ସେଠାକୁ ଯାଇ ଛେପ ପକାଯାଇଥିବା ସ୍ଥାନକୁ ସଫା କରେଇଥିବା କହିଛନ୍ତି ।
ଦେଲେ ପରାମର୍ଶ: ଏ ନେଇ ସେ କାହାରି ନାଁ ନେଇ ନଥିଲେ ମଧ୍ୟ ଏପରି ନ କରିବାକୁ ବିଧାୟକମାନଙ୍କୁ ବାଚସ୍ପତି ଅନୁରୋଧ କରିଥିବା ଦେଖିବାକୁ ମିଳିଛି । ବିଧାନସଭାକୁ ସଫା ରଖିବା ଆମମାନଙ୍କ କର୍ତ୍ତବ୍ୟ । ଯଦି କୌଣସି ବିଧାୟକ ପୁଣିଥରେ ଏପରି କରନ୍ତି ତେବେ ସମସ୍ତଙ୍କ ସାମ୍ନାରେ ସେମାନଙ୍କ ନାଁ ଡାକିବି ବୋଲି କହିଛନ୍ତି ସତିଶ ।