ଓଡ଼ିଶା ଆସିବେ ରାଷ୍ଟ୍ରପତି, ଜାଣନ୍ତୁ କାର୍ଯ୍ୟକ୍ରମ ବିଷୟରେ
ଆସନ୍ତା 24 ତାରିଖରେ କଣ୍ଟିଲୋସ୍ଥିତ ମହାପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ।
ଭୁବନେଶ୍ବର: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା 24 ତାରିଖରେ ଶ୍ରୀକ୍ଷେତ୍ରର ଆଦିପୀଠ ନୟାଗଡ଼ ଜିଲ୍ଲା କଣ୍ଟିଲୋସ୍ଥିତ ମହାପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିବା ପାଇଁ ଆସିବା ନେଇ ଜଣାପଡିଛି । ତେବେ ଏନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯାଇଛି । ଜିଲ୍ଲାପାଳ ଏବଂ ଏସପି ପୂର୍ବ ସ୍ଥିତି ସମୀକ୍ଷା କରିଛନ୍ତି ।
ତେବେ ମଙ୍ଗଳବାର ଦିନ ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରଓ୍ବାଲଙ୍କ ନେତୃତ୍ବରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଅନେକ ଉଚ୍ଚ ପଦସ୍ଥ କର୍ମଚାରୀ କଣ୍ଟିଲୋ ଆସିଥିଲେ । ଏହାପରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ । ମନ୍ଦିର ବୁଲିବା ସହିତ ସବୁଧା ଅସୁବିଧା ମଧ୍ୟ ତଦାରଖ କରିଥିଲେ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଗନ୍ନାଥ ସଂସ୍କୃତିର ମୂଳପୀଠ ଭାପୁର ବ୍ଲକ ଅଧୀନ କାଳିଆପଲ୍ଲୀ ଜଙ୍ଗଲ ମଧ୍ୟରେ ଥିବା ଶବର ରାଜା ବିଶ୍ବାବସୁ ଓ ଲଳିତାଙ୍କର ଜନ୍ମମାଟି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରାଯାଇଛି । ଜିଲ୍ଲାପାଳ ଏବଂ ଏସପି କାଳିଆପଲ୍ଲୀ ପରିଦର୍ଶନ କରି ଲଳିତ ମାଧବଙ୍କୁ ଦର୍ଶନ କରିଥିଲେ ।