ଭୁବନେଶ୍ବର: ସାମ୍ବାଦିକ ଓ ବାଚସ୍ପତିଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇଛି । ସରକାରଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଆଲୋଚନା ହୋଇଥିବା ବେଳେ ଏଥିରେ ପ୍ରେସ ଗ୍ୟାଲେରୀକୁ ମୋବାଇଲ ଅନୁମତି ମିଳିଛି ।
କିନ୍ତୁ ପ୍ରେସ ଗ୍ୟାଲେରୀରୁ କୌଣସି ଫଟୋଗ୍ରାଫି କିମ୍ବା ଭିଡ଼ିଓଗ୍ରାଫି କରାଯାଇ ପାରିବନି। ବିଧାନସଭା ପକ୍ଷରୁ ଦିଆଯାଉଥିବା ଫଟୋଗ୍ରାଫି କିମ୍ବା ଭିଡ଼ିଓଗ୍ରାଫି ବ୍ୟବହାର କରିବାକୁ ବାଚସ୍ପତି ଅନୁରୋଧ କରିଛନ୍ତି । ତେଣୁ ଧାରଣା ପ୍ରତ୍ୟାହାର କରି ନ୍ୟୁଜ ପରିବେଷଣ ପାଇଁ ବାଚସ୍ପତି ଅନୁରୋଧ କରିଛନ୍ତି ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ।
ତେବେ ଏହି ନିଷ୍ପତ୍ତି ପରେ ସାମ୍ବାଦିକମାନେ ଧାରଣା ପ୍ରତ୍ୟାହାର କରିଛନ୍ତି। ଶେଷରେ ସାମ୍ବାଦିକଙ୍କ ପାଇଁ ଲାଗୁ ହୋଇଥିବା କଟକଣା ହଟିବା ସହ ପ୍ରେସ ଗ୍ୟାଲେରୀକୁ ମୋବାଇଲ ନେବାକୁ ଅନୁମତି ମିଳିଗଲା ।
ସୂଚନା ମୁତାବକ, ଗତକାଲି ବିଧାନସଭାରେ ଧସ୍ତାଧସ୍ତି ସହ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଜୟନାରାୟଣ ମିଶ୍ର ଏବଂ ତାରା ବାହିନୀପତି ଗୃହରେ ଧସ୍ତାଧସ୍ତି ହୋଇଥିଲେ । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଗଣତନ୍ତ୍ରର ମନ୍ଦିରରେ ଏଭଳି ଧସ୍ତାଧସ୍ତି ଗାଳି ଗୁଲଜକୁ ସମସ୍ତ ବିରୋଧ କରୁଥିବା ମଧ୍ୟ ଦେଖାଯାଇଥିଲା ।
ଏହାପରେ ଆଜି ସାମ୍ବାଦିକଙ୍କୁ ମୋବାଇଲ ଫୋନ ବାରଣ କରାଯାଇଥିଲା । କିନ୍ତୁ ଏହାକୁ ଗ୍ରହଣ କରିପାରିନଥିଲେ ସାମ୍ବାଦିକ । ସମସ୍ତ ସାମ୍ବାଦିକ ଏହାର ପ୍ରତିବାଦ କରି ପ୍ରେସ ଗ୍ୟାଲେରୀକୁ ଯିବାକୁ ବୟକଟ କରିଥିଲେ । ଏହାସହିତ ସାମ୍ବାଦିକମାନେ ଗାନ୍ଧୀମୂର୍ତ୍ତି ତଳେ ଧାରଣ ଦେଇଥିଲେ ।