ଆରମ୍ଭ ହୋଇଯାଇଛି ରୁକୁଣା ରଥ ନିର୍ମାଣ କାର୍ଯ୍ୟ, ୩ ତାରିଖ ସୁଦ୍ଧା ସରିବ ରଥ ତିଆରି
ରଥ ନିର୍ମାଣ କାର୍ଯ୍ୟରେ ଲାଗିପଡ଼ିଛନ୍ତି ବେହେରା ଏବଂ ମହାରଣା ସେବାୟତ । ସୁରୁଖୁରୁରେ ଆଗେଇ ଚାଲିଛି କାର୍ଯ୍ୟ ।
ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ଉଭୟ ତ୍ରୟଦଶୀ ଓ ଚତୁର୍ଦ୍ଦଶୀ ତିଥି ପଡ଼ୁଥିବାରୁ ୨ଟି ନୀତି ମନ୍ଦିରରେ କରାଯାଇଥିଲା ।
ସକାଳେ ବଲ୍ଲଭ ନୀତି ପରେ ମହାଖଳାରେ କାଠ ପୂଜା କରାଯାଇଥିଲା । ଲିଙ୍ଗରାଜଙ୍କ ଆଜ୍ଞାନାମ ରଥଖଳାକୁ ଆସିବା ପରେ ପୂର୍ବାହ୍ନ ସାଢ଼େ ୧୧ଟାରେ ନୀତି ପରେ ଖଳାରେ ସେବାୟତ ଓ ପୂଜାପଣ୍ଡା ରଥ କାଠ ପୂଜା କରିଥିଲେ ।
ଏହାପରେ ମହାରଣା ସେବାୟତମାନେ କୁରାଢ଼ିରେ ଆମ୍ଭଗଛର କାଠଗଡ଼କୁ ଛେଦନ କରି ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିଥିଲେ । ୩ ତାରିଖ ରାତି ସୁଦ୍ଧା ରଥ କାମ ସରିବ । ୧୨ ଜଣ ବେହେରା ସେବାୟତଙ୍କ ସମେତ ୭୦ ଜଣ ମହାରଣା ସେବାୟତ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବେ ।
ଗତକାଲି ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ତିଥି ଏକାସଙ୍ଗରେ ପଡ଼ିଥିବାରୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଦୁଇଟିଯାକ ନୀତି କରାଯାଇଛି । ଚତୁର୍ଦ୍ଦଶୀ ନୀତି ସରିବା ପରେ ଦେବାଦେବୀ ପରକରଣ ସାହି ଯମେଶ୍ୱର ମନ୍ଦିର ନିକଟକୁ ଯାଇଥିଲେ । ବାଟ କୂଅ ମୁହଁ ବଡ଼ୁସାହିରେ ଭୋଗ ଖାିବା ସହ ଆଳତି ହୋଇଥିଲା । ଏହାପରେ ଠାକୁରଙ୍କ ଚତୁର୍ଦ୍ଦଶୀ ବେଢ଼ା ପରିକ୍ରମା କରାଯାଇଥିଲା । ଏହାପରେ ପରମ୍ପରା ଅନୁସାରେ ଠାକୁରଙ୍କ ସବୁ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା ।