ଆହୁରି ବଢ଼ିବ ଖରା, ଆଜି ପାଇଁ ୧୧ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ପ୍ରଥମ ଥର ଚଳିତ ବର୍ଷ ୪୫ ଡିଗ୍ରୀ ପାର କଲା ତାପମାତ୍ରା।

ଭୁବନେଶ୍ୱର: ଦିନ ଯେତେ ବଢୁଛି ତାତି ସେତେ ବଢୁଛି। ସକାଳ ୭ରୁ ଅନୁଭୂତ ହେଉଛି ଟାଣ ଖରା। ସେପଟେ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ, ଆଜି ପାଇଁ ୧୧ ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଓଡ଼ିଶାର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ସେପଟେ ଟାଣ ଖରା ସହିତ ଝାରସୁଗୁଡ଼ା କେବଳ ରାଜ୍ୟ ନୁହେଁ ପୁରା ଦେଶରେ ସବୁଠୁ ଉତ୍ତପ୍ତ ସହର ସହରରେ ପରିଣତ ହୋଇଛି।

ଆଉ ଏହି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୩ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଲାଗି ରହିବାର ସମ୍ଭାବନା ଥିବାରୁ ଜନସାଧାରଣ ସତର୍କ ରହିବାକୁ ପାଣିପାଗ ବିଭାଗ ଏବଂ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ଜାରି କରାଯାଇଛି।

ବୁଧବାର ଝାରସୁଗୁଡାରେ ଦିନ ତାପମାତ୍ରା ୪୫.୪ଡିଗ୍ରୀ ଛୁଇଁଛି। ସେହିପରି ଅନେକ ଜିଲ୍ଲାରେ ୪୦ ଡିଗ୍ରୀ ଟପିଛି ପାରଦ। ଯାହାକି ସମସ୍ତଙ୍କ ଚିନ୍ତାର କାରଣ ସାଜିଛି। ରାତିରେ ତାପମାତ୍ରା ସ୍ୱାଭାବିକରୁ ଅଧିକ ରହିବାର ସମ୍ଭାବନା ଥିବାରୁ ସମ୍ବଲପୁର, ସୁନ୍ଦରଗଡ ଏବଂ ବଲାଙ୍ଗିର ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

କଳାହାଣ୍ଡି, ନୂଆପଡା, ଦେବଗଡ ଓ ଅନୁଗୋଳ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ ଢେଙ୍କାନାଳ ଜିଲ୍ଲାର ଅନେକ ସ୍ଥାନରେ ବାୟୁମଣ୍ଡଳର ଆର୍ଦ୍ରତା ପରିମାଣ ଅଧିକ ରହିବା ହେତୁ ପ୍ରଚଣ୍ଡ ଗୁଳୁଗୁଳି ଅନୁଭୂତ ହୋଇପାରେ।

ଏଥିପାଇଁ ଉପରୋକ୍ତ ଜିଲ୍ଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇ ଥିବାବେଳେ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।