୧୨୮ ବର୍ଷ ବୟସରେ ଆର ପାରିରେ ଯୋଗଗୁରୁ ପଦ୍ମଶ୍ରୀ ଶିବାନନ୍ଦ, ଭୂଇଁରେ ଶୋଇ ଜୀବନ କାଟିଦେଲେ

ଦେଶକୁ ବଡ଼ କ୍ଷତି । ପରଲୋକରେ ଯୋଗଗୁରୁ ପଦ୍ମଶ୍ରୀ ଶିବାନନ୍ଦ ।

ନୂଆଦିଲ୍ଲୀ: ଆଉ ନାହାନ୍ତି ଯୋଗଗୁରୁ ଶିବାନନ୍ଦ । ବାରଣାସୀରେ ୧୨୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଯୋଗ ଗୁରୁ ବାବା ଶିବାନନ୍ଦ । ଗତ ୩ ଦିନ ହେବ ସ୍ୱାସ୍ଥଗତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ଥିଲା । ବାବା ଶିବାନନ୍ଦ ତାଙ୍କ ଜୀବନକୁ ଯୋଗ ଓ ସାଧନାରେ ସମର୍ପିତ କରିଥିଲେ । ତାଙ୍କୁ ୨୦୨୨ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ଗ୍ରହଣ କରିବାରେ ସେ ସବୁଠୁ ବୟସ୍କ ଥିଲେ ।

କିଏ ସ୍ୱାମୀ ଶିବାନନ୍ଦ
୧୮୯୬ ଅଗଷ୍ଟ ୮ରେ ବାବା ଶିବାନନ୍ଦ ଅଭିଭାଜିତ ବଙ୍ଗଳା ଶ୍ରୀହଟ ଜିଲ୍ଲା ହରିପୁର ଗାଁରେ ଗୌସ୍ୱାମୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୪ ବର୍ଷ ବୟସରେ ଘର ଛାଡିଥିଲେ । ୬ ବର୍ଷ ବୟସରେ ଯୋଗକୁ ଜୀବନର ଲକ୍ଷ୍ୟ କରିଥିଲେ ।

ବାବା ଓଙ୍କାରନାଥ ଗୌସ୍ୱାମୀଙ୍କଠୁ ଦୀକ୍ଷା ଓ ଯୋଗ ଶିକ୍ଷା ନେଇଥିଲେ । ଶେଷ ସମୟ ଯାଏ ଯୋଗ ହିଁ ତାଙ୍କ ସହିତ ରହିଥିଲା । ଯୋଗକୁ ସେ ଆୟୁଷର ଆଧାର ବୋଲି କହିଥିଲେ ।

ମୃତ୍ୟୁ ପର୍ଯ୍ୟନ୍ତ ନିରୋଗ:

୧୨୮ ବର୍ଷରେ ବି ଯୋଗ ଗୁରୁ ବାବା ଶିବାନନ୍ଦଙ୍କୁ ରୋଗ ଛୁଇଁ ପାରିନଥିଲା ରୋଗ । ମୁଣ୍ଡ ତଳେ ବାଡି଼ର ତକିଆ ଦେଉଥିଲେ । ଭୂମିରେ ଶୋଉଥିଲେ । ସବୁବେଳେ ସିଝା ଖାଦ୍ୟ ଖାଉଥିଲେ । ଭୋକରେ ତାଙ୍କ ବାପାମାଆ ଓ ଭଉଣୀଙ୍କର ମୃତ୍ୟୁ ହୋଇଥିବା କହିଥିଲେ ବାବ ଶିବାନନ୍ଦ ।

ପିଲାଦିନୁ ତାଙ୍କୁ କେବଳ ଚାଉଳ ଗୁଣ୍ଡ ଖାଇବାକୁ ପଡିଥିଲା । ଯେବେ ସେ ତାଙ୍କ ଗୁରୁଙ୍କ ସମ୍ପର୍କରେ ଆସିଲେ ସେତେବେଳେ ସେ ଭୋଜନ ଏବଂ ଯୋଗର ମହତ୍ତ୍ୱ ବୁଝିଥିଲେ । ସେବେଠୁ ସେ ସ୍ଥିର କରିଥିଲେ ଯେ, ଅଧାପେଟ ଭୋଜନ କରିବେ । ଭୋକର ପ୍ରକୃତ ଅର୍ଥ କଣ ସେ ଲୋକଙ୍କୁ କହିପାରିବେ । ଦୁନିଆ ଭ୍ରମଣ କରି ଶେଷରେ କାଶୀ ଆସିବା ପରେ ହିଁ ଶାନ୍ତି ଅନୁଭବ କରିଥିଲେ ।

ବାଡି ଓ କାଠ ତକିଆ ମୁଣ୍ଡ ତଳେ ଦେଇ ସବୁବେଳେ ଭୂମିରେ ଶୋଉଥିଲେ । ଯୋଗ ବଳରେ ସୁସ୍ଥ ରହିଥିଲେ । ୧୨୮ ବର୍ଷରେ ବି ସେ ନିଜ କାମ ନିଜେ କରୁଥିଲେ । ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିଲେ ।

ଯୋଗଗୁରୁ ବାବା ଶିବାନନ୍ଦଙ୍କୁ ୨୦୨୨ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରଯାଇଥିଲା । ଏହି ସମ୍ମାନ ନେବାକୁ ଯିବାବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଣାମ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଚୌକିରୁ ଉଠି ତାଙ୍କୁ ହାତଯୋଡି ପ୍ରଣାମ କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାତରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ ।